ନୂଆ ବର୍ଷରେ ପୁରୀ ଶୃଙ୍ଖଳିତ, ରାଜ୍ୟ ସରକାର ଓ ପୁରୀ ପୋଲିସ୍‍କୁ ପ୍ରଶଂସା କଲେ ଭକ୍ତ

ପୁରୀ: ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅତ୍ୟନ୍ତ ଶୃଙ୍ଖଳିତ ବ୍ୟବସ୍ଥା କରିଥିବାରୁ ପୁରୀ ପୋଲିସ୍‍କୁ ସବୁଆଡୁ ପ୍ରଶଂସା ମିଳିବାରେ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ଲୋକେ ରାଜ୍ୟ ସରକାର ଓ ପୁରୀ ପୋଲିସ୍‍କୁ ପ୍ରଶଂସାରେ ପୋତି ପକାଉଥିବାବେଳେ କେତେକ ଭକ୍ତ ପୋଲିସ୍‍ର ଏଭଳି ସୁବନ୍ଦୋବସ୍ତ ପାଇଁ ଶହେରୁ ଶହେ ନମ୍ବର ପାଇବାକୁ ହକ୍‍ଦାର ବୋଲି କହିବାକୁ ପଛାଉ ନାହାନ୍ତି ।

ନୂଆବର୍ଷରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଏହାକୁ କିଭଳି ଶୃଙ୍ଖଳିତ କରାଯାଇ ପାରିବ ସେଥିପାଇଁ ପୋଲିସ୍‍ ପ୍ରଶାସନ ଅଣ୍ଟା ଭିଡିଥିଲା । କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ଆଶିଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ୍‍ ଏସ୍‍ପି ବି.କେ.ସିଂହ ଏହାର ତଦାରଖ କରିଥିଲେ । ବଡଦାଣ୍ଡରୁ ଭକ୍ତଙ୍କ ଧାଡି ଲଗାଇବା ଠାରୁ ଆରମ୍ଭ କରି ମନ୍ଦିର ଭିତରେ ଯେଭଳି ସୁରୁଖୁରୁରେ ତିନି ଠାକୁରଙ୍କ ଦର୍ଶନ କରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଥିଲା ।

ତେବେ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ନୂଆକରି ତିଆରି କରିଥିବା ଶୀତତାପ ନିୟନ୍ତ୍ରଣ ଟନେଲ ଏଥିରେ ବିଶେଷ ସହାୟକ ହୋଇଥିଲା । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲରେ ଧାଡିରେ ଛିଡା ହେବା ସହିତ ଆବଶ୍ୟକ ସ୍ଥଳେ ବସିବାର ସୁଯୋଗ ପାଉଥିଲେ । ନିକଟରେ ସେମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ହୋଇଥିଲା । ତେଣୁ ଭକ୍ତମାନେ ପୂର୍ବଭଳି ଆଉ କ୍ଲାନ୍ତି ଅନୁଭବ କରିନଥିଲେ । ପୁଲିସ୍‍ ପ୍ରଶାସନ ମଧ୍ୟ ଏହା ଉପରେ ସତର୍କ ନଜର ରଖିଥିଲା ।

ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ୩୧ ତାରିଖ ରାତିରୁ ଦର୍ଶନ ବ୍ୟବସ୍ଥା ଜାରି ରହିଛି । ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ୩.୭୫ ଲକ୍ଷ ଭକ୍ତ ମନ୍ଦିର ଭିତରେ ଦର୍ଶନ କରି ସାରିଲେଣି । ହେଲେ ପୁଲିସ୍‍ର ସତର୍କ ଦୃଷ୍ଟି ଯୋଗୁଁ କୌଣସି ଅଘଟଣ ସାମ୍ନାକୁ ଆସିନାହିଁ । ଦର୍ଶନ ସାରି ବଡଦାଣ୍ଡକୁ ଫେରୁଥିବା ପଶ୍ଚିମବଙ୍ଗର ଜଣେ ଶିକ୍ଷୟତ୍ରୀ ପାରମିତା ମୁଖାର୍ଜୀ ପୁଲିସ୍‍ ପ୍ରଶାସନର ବନ୍ଦୋବସ୍ତକୁ ଭୁରି ଭୁରି ପ୍ରଶଂସା କରିବା ସହିତ ଏଥିପାଇଁ ପୁଲିସ୍‍ ପ୍ରଶାସନ ଶହେରୁ ଶହେ ନମ୍ବର ପାଇବା ଉଚିତ୍‍ ବୋଲି କହିଥିଲେ । ସେହିଭଳି ଛତିଶଗଡରୁ ଆସିଥିବା ଶ୍ୱେତା, ପୁନେରୁ ପରିବାର ସହିତ ଆସିଥିବା ସୁରେଖା ରବିକାନ୍ତ, ଖୋରଧାରୁ ଆସିଥିବା କଳ୍ପନା ସେଠୀ, ପାଟନାରୁ ଆସିଥିବା ପୂର୍ଣ୍ଣିମା ଓ ଆଶୁତୋଷ ଏବଂ ଉତ୍ତରପ୍ରଦେଶ ଗୋଣ୍ଡାରୁ ଆସିଥିବା ଈଶ୍ୱର ଶ୍ରବଣ ମିଶ୍ର ରାଜ୍ୟ ସରକାର ଓ ପୁରୀ ପୁଲିସ୍‍ର ଦର୍ଶନ ବନ୍ଦୋବସ୍ତକୁ ପ୍ରଶଂସାରେ ପୋତି ପକାଇଛନ୍ତି ।