ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ, ପ୍ରତିବାଦ କରୁ କରୁ ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: କେବଳ ଗୋଟିଏ ହିଁ ପ୍ରସଙ୍ଗ ସାରା ଦେଶରେ । ତାହା ହେଉଛି ଚାଷ, ଚାଷୀ ଓ ଆନ୍ଦୋଳନ । ଆନ୍ଦୋଳନ ଦିଲ୍ଲୀରେ ଜାରି ଥିବାବେଳେ ପଲ୍ଲୀରେ କମ୍ପନ ଥମୁନି । ଜୀବନକୁ ଜରାଜୀର୍ଣ୍ଣ କରିଦେଇଛନ୍ତି କିନ୍ତୁ ଜିଦରେ ଅଟଳ ରହିଛନ୍ତି । ଦାବି କେବଳ, ନୂତନ କୃଷି ବିଲ ପ୍ରତ୍ୟାହାର । ଆଇନ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥାନରୁ ଇଞ୍ଚିଏ ହଟିବୁ ନାହିଁ ବୋଲି ସିଧା ସିଧା କହି ଦେଇଛନ୍ତି ପ୍ରତିବାଦକାରୀ କୃଷକ । ଏପଟେ ପ୍ରତିବାଦର ଉଗ୍ରତା ଭିତରେ ଅନେକ କୃଷକଙ୍କ ପ୍ରାଣ ଚାଲିଯିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି ।

ନୂତନ କୃଷି ଆଇନକୁ ନେଇ ସିଙ୍ଘୁ ସୀମାରେ ଏବେ ମଧ୍ୟ ଆନ୍ଦୋଳନରେ ଅଟଳ କୃଷକ । ସେପଟେ ଆନ୍ଦୋଳନରତ ଜଣେ ଚାଷୀଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ସୋମବାର ଦୁଇଜଣଙ୍କର ଦେହାନ୍ତ ହୋଇଥିଲା । ଧାରଣା ସ୍ଥଳରେ ମୋହଲୀ ନାମଙ୍କ ଜଣେ ୭୦ ବର୍ଷୀୟ କୃଷକଙ୍କର ମୃତ୍ୟ ହୋଇଛି । ଅନ୍ୟପଟେ ଆନ୍ଦୋଳନରେ ଯୋଗଦେଇ ଦିଲ୍ଲୀ ଅଭିମୁଖେ ଗସ୍ତ କରୁଥିବା ଚାଷୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣାରେ ଦୁଇ କୃଷକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ କୃଷକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଆହତ ମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛି । ସେହିପରି ଆନ୍ଦୋଳନରତ ମୃତକ ଚାଷୀଙ୍କ ମୃତଦେହ ପୋଲିସ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ସିଭିଲ ହସ୍ପିଟାଲ ସୋନିପତ ପଠାଇଛି । କାହିଁକି ଏବଂ କେଉଁ କାରଣରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେନେଇ ପାରିପାର୍ଶ୍ୱିକ ସ୍ଥିତିର ଯାଞ୍ଚ କରୁଛି ସ୍ଥାନୀୟ ପୋଲିସ ।

Leave a Reply