ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ, ପୁନିତ ରଚିଲେ ରେକର୍ଡ

1 min read

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ଓଡିଶାର ପୁନିତ ଚନ୍ଦ୍ର ସାହୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି  । ପୁରୁଷ ଜୁନିୟର 96 କେଜି ବର୍ଗରେ ପୁନିତ କ୍ଲିନ ଆଣ୍ଡ ଜର୍କରେ 167 କେଜି ଉତ୍ତୋଳନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବର୍ଗରେ ପୁନିତ ସ୍ନାଚରେ 121 କେଜି ସହ ମୋଟ 288 କେଜି ଉତ୍ତୋଳନ କରି ରାଙ୍କ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

 

ଆଜି ପୁନିତଙ୍କ ସହ ଅନ୍ୟ ପ୍ରତିଯୋଗୀ ମାନେ ବିଭିନ୍ନ ଶୃଙ୍ଖଳରେ 15ଟି ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି  । ସେମାନଙ୍କ ମଧ୍ୟରେ 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ 99କେଜି ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା 98କେଜିର ରେକର୍ଡକୁ ଭଙ୍ଗ କରିଛନ୍ତି  । 96 କେଜି ୟୁଥ ବାଳକ ବର୍ଗରେ ପଞ୍ଜାବର ଦିବଙ୍ଗ ସିଂ ସ୍ନାଚ ରେ 125 କେଜି ଉତ୍ତୋଳନ କରି ରେକର୍ଡ କରିଛନ୍ତି I ଏଥି ସହିତ ସେ ଏହି ବର୍ଗରେ କ୍ଲିନ ଆଣ୍ଡ ଜର୍କରେ 154 କେଜି ଏବଂ ପରେ 158 କେଜି ଉତ୍ତୋଳନ କରି ଦୁଇଟି ରେକର୍ଡ କରିଥିଲେ I ମୋଟରେ ମଧ୍ୟ ସେ 279 ଏବଂ 283 ଉତ୍ତୋଳନ କରି ଆଉ ଦୁଇଟି ରେକର୍ଡ କରିଥିଲେ  ।

ଜୁନିୟର ପୁରୁଷ ବର୍ଗରେ ହରିୟାଣାର ଅମନ କ୍ଲିନ ଆଣ୍ଡ ଜର୍କରେ 176 କେଜି ଉତ୍ତୋଳନ କରି ଆଜି ଅନ୍ୟ ଖେଳାଳି ମାନେ କରିଥିବା 4ଟି ନୂଆ ରେକର୍ଡକୁ ନିଜ ନାମରେ କରିଥିଲେ I ସେହିପରି ମୋଟରେ ଅମନ 306 କେଜି ଉତ୍ତୋଳନ କରି ଆଜି ପ୍ରତିଷ୍ଠା ହୋଇଥିବା ତିନୋଟି ନୂଆ ରେକର୍ଡ କୁ ନିଜ ନାମରେ କରିଥିଲେ I ଆଜି ଅନୁଷ୍ଠିତ 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ 99କେଜି, କ୍ଲିନ ଆଣ୍ଡ ଜର୍କରେ 115 କେଜି ଉତ୍ତୋଳନସହ ମୋଟ 214 କେଜି ଉତ୍ତୋଳନକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏହି ବର୍ଗରେ ତାମିଲନାଡୁର ଆର. ଆରୋଚକିୟା ଅଲିଶ ମୋଟ 209 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ମଣିପୁରର ଖ. ସରଜୁବାଳା ଦେବୀ ମୋଟ 196 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

ଜୁନିୟର ମହିଳା 76 ବର୍ଗରେ ହରିୟାଣାର ଜ୍ୟୋତି ୟାଦବ ମୋଟ 184 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ ମୋଟ 172 କେଜି ଉତ୍ତୋଳନ କଟି ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ ମୋଟ 171 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । 76 କେଜି ମହିଳା ୟୁଥ ବର୍ଗରେ ହରିୟାଣାର ଶୀତଳ ମୋଟ 149 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପଣ୍ଡିଚେରୀର ଭି. ଦେବୀ ମୋଟ 148 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଉତ୍ତରପ୍ରଦେଶର ଜ୍ୟୋତି ୟାଦବ ମୋଟ 139 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

96 କେଜି ସିନିୟର ପୁରୁଷ ବର୍ଗରେ ଅରୁଣାଚଳ ପ୍ରଦେଶର ସମ୍ବୋ ଲାପୁଙ୍ଗ ମୋଟ 336 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ଆରଏସପିଇବିର ଆର.ଭି. ରାହୁଲ 335 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଏସଏସସିବିର ଜଗଦିଶ 333 କେଜି ଉତ୍ତୋଳନ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି  । 96 କେଜି ଜୁନିୟର ପୁରୁଷ ବର୍ଗରେ ହରିୟାଣାର ଅମନ ସ୍ବର୍ଣ୍ଣ ପଦକ, ମହାରାଷ୍ଟ୍ରର ତେଜସ ଲୋଖଣ୍ଡେ ରୌପ୍ୟ ଏବଂ ଉତ୍ତରପ୍ରଦେଶର ଅନୁକୂଶ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । 96 କେଜି ୟୁଥ ପୁରୁଷ ବର୍ଗରେ ପଞ୍ଜାବର ଦୀଲବାଗ ସିଂ ସ୍ୱର୍ଣ୍ଣ, ଆନ୍ଧ୍ରର ଏନ. ନରସିଂହ ନାୟକ ରୌପ୍ୟ ଏବଂ ଦିଲ୍ଲୀର ଆୟୁଷ ଭରଦ୍ୱାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।