କୋଇଲା ଓ ଖଣି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ସବୁଠାରୁ ଆଗୁଆ: ପ୍ରଧାନମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟସଭାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । ଏହା ଯୋଗୁ ରାଜ୍ୟର ପ୍ରଗତି ହେବା ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି । ସମବାୟ ସଂଘୀୟ ବ୍ୟବସ୍ଥାର ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି- ସବୁଠାରୁ ବଡ଼ କଥା ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସବୁଠାରୁ ଆଗୁଆ ରାଜ୍ୟ । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପକ୍ଷରେ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପ୍ରସଂଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କଲେ । ଏହାଦ୍ୱାରା ସ୍ପଷ୍ଟ ଭାବେ ପ୍ରମାଣିତ ହେଲା ଯେ, ଓଡ଼ିଶାରେ ବିକାଶର ନୂଆ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି । ଓଡ଼ିଶାରେ ବିକାଶର ଯେଉଁ ତୀବ୍ରତର ଧାରା ଚାଲିଛି ତାହାକୁ ଦେଶ ସ୍ୱୀକାର କରୁଛି । କିନ୍ତୁ ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ଲୋକ ଏହାକୁ ମାନିବାକୁ ନାରାଜ୍ । ରାଜ୍ୟରେ ଯେଉଁ ଦଳ ବିକାଶକୁ ସ୍ୱୀକାର କରିବାକୁ ନାରାଜ୍ ସେହି ଦଳର ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଆଖି ଖୋଲିଯିବା କଥା ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ ।

Leave a Reply