୨୦୨୪-୨୫ ଆର୍ଥିକ ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ପଢାଯିବ କ୍ରୀଡ଼ା ବିଷୟବସ୍ତୁ

1 min read

ଭୁବନେଶ୍ୱର : ଅନ୍ତୁଡ଼ିଶାଳରୁ ଗ୍ଲୋବାଲ ହବ୍ । ଦୁଇ ଦୁଇ ଥର ପୁରୁଷ ବିଶ୍ବକପ ହକି ସଫଳତାର ସହ ଆୟୋଜନ । ବିଶ୍ବରେ ଓଡ଼ିଶା ପାଲଟିଛି କ୍ରୀଡ଼ା ହବ । ବିଶ୍ବର ଶ୍ରେଷ୍ଠ ଷ୍ଟାଡ଼ିୟମ ମଧ୍ୟରେ କଳିଙ୍ଗ ଓ ବିର୍ସା ମୁଣ୍ଡା ଆଣିଛି ସ୍ବତନ୍ତ୍ର ପରିଚୟ । ୧୫ ମାସ ମଧ୍ୟରେ ନିର୍ମାଣ ହୋଇ ରାଉଲକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ହକି ଷ୍ଟାଡ଼ିୟମ ଭାବେ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡ଼ କରିଛି । ୨୨୫ କୋଠରୀ ବିଶିଷ୍ଟ ଅଲିମ୍ପିକ ଶୈଳୀର ହକି ଭିଲେଜର ବେଶ ଆକର୍ଷଣୀୟ ।

ଓଡ଼ିଶା ହକିର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ -ଟର୍ଫ ହକି ପଡିଆ ନିର୍ମାଣ ହୋଇଛି। ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ 6 ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ ହୋଇଛି। କେବଳ ସେତିକି ନୁହେଁ, ହକି ଇଣ୍ଡିଆକୁ ଆଉ ୧୦ ବର୍ଷ ପାଇଁ ପ୍ରାୟୋଜିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଫୁଟବଲ, ରଗବୀ, ଖୋ ଖୋ, ଓ ସୁଇମିଂ ଜାତୀୟ ମହାସଂଘକୁ ମଧ୍ୟ ସହାୟତାର ହାତ ବଢାଇଛି ଓଡ଼ିଶା ।

ଆଗକୁ ତୃଣମୂଳସ୍ତରୁ କ୍ରୀଡ଼ାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମି ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି କ୍ରୀଡ଼ା ବିଭାଗ । ଯେଉଁଥିରେ ରହଛି ବିର୍ସା ମୁଣ୍ଡା, ଆଥଲେଟିକ୍ସ ଷ୍ଟାଡ଼ିୟମ, କଳିଙ୍ଗ ଷ୍ଟାଡ଼ିୟମ ଟେନିସ ସେଣ୍ଟର, କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ । ଏସବୁ ସ୍ଥାନରେ କ୍ରୀଡ଼ାବିତମାନଙ୍କୁ ଶୀର୍ଷସ୍ତରୀୟ ତାଲିମ ସୁବିଧା ଯୋଗାଇ ଦିଆଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡ଼ା ବିଷୟବସ୍ତୁ ରହିବ । ପରବର୍ତ୍ତୀ ସମୟରେ ଏହି ବିଷୟବସ୍ତୁକୁ ବାଧ୍ୟତାମୂଳକ କରାଯିବ ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା କହିଛନ୍ତି । ଏହାସହ ଆଗାମୀ ଦିନରେ ଓଡ଼ିଶାରେ କିକ୍ରେଟ ଖେଳକୁ ଫୋକସ କରିବାକୁ ଅଣ୍ଟା ଭିଡ଼ିଛି ବିଭାଗ । ସ୍କୁଲସ୍ତରରୁ ପିଇଟି ଶିକ୍ଷକମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ସ୍କୁଲରୁ ସବୁ କ୍ଷେତ୍ରରେ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।