ବିଦେଶରୁ ରାହୁଲଙ୍କ ବାଣ, ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଜ୍ଞାନୀ କହି କଲେ କଟାକ୍ଷ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କୁ ବଡ଼ଜ୍ଞାନୀ କହି କଟାକ୍ଷ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଭଗବାନଙ୍କୁ ବି କହିପାରିବେ କେମିତି ହେଉଛି ବ୍ରହ୍ମାଣ୍ଡ ପରିଚାଳନା । ସାରା ବିଶ୍ବର ଜ୍ଞାନ ଜଣକ ପାଖରେ ରହିବା ଅସମ୍ଭବ । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ସେମାନଙ୍କଠୁ ଭିନ୍ନ ବୋଲି କହି କଟାକ୍ଷ କରିଛନ୍ତି ରାହୁଲ । ୧୦ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସାନ ଫ୍ରାନସିସକୋ, ଓ୍ବାସିଂଟନ ଡିସି ଓ ନ୍ୟୁୟର୍କ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ସାନଫ୍ରାନସିସକୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଭାରତରେ ଏବେ ରାଜନୀତି କରିବା ସହଜ ନୁହେଁ ବୋଲି ରାହୁଲ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ମନୋବୃତ୍ତି, ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ଼ ଯାତ୍ରାର ଅନେକ ପ୍ରଭାବ ପକାଇଛି । ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିଛି ବୋଲି ରାହୁଲ କହିଛନ୍ତି ।

ଏହି ଯାତ୍ରାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରାଯାଇଥିଲା, ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ଆରଏସଏସ ଓ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ । ଭାରତରେ କିଛି ଲୋକ ନିଜକୁ ଭଗବାନ ବୋଲି ଭାବନ୍ତି ବୋଲି ରାହୁଲ କହିଛନ୍ତି । ସଂଖ୍ୟା ଲଘୁ ଲୋକ ଭାରତରେ ଭୟରେ ରହୁଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି