ବାୟୁ ପ୍ରଦୂଷଣ ବଢୁଥିବାରୁ ଧିରେଧିରେ କମୁଛି ଭାରତୀୟଙ୍କ ଆୟୁଷ

1 min read

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଛି ବାୟୁ ପ୍ରଦୂଷଣର ମାତ୍ରା। ଯେଉଁଥିପାଇଁ ଭାରତରେ ୪୦ ପ୍ରତିଶତ ନାଗରିକଙ୍କ ଆୟୁଷ ପ୍ରାୟ ୯ ବର୍ଷ ଲେଖାଏଁ କମିବ। ଏଭଳି ଚିନ୍ତାଜନକ ତଥ୍ୟ ଦେଇଛି ଆମେରିକାର ଏକ ଗବେଷଣା ସଂସ୍ଥା । କେନ୍ଦ୍ରାଞ୍ଚଳ, ପୂର୍ବାଞ୍ଚଳ ଓ ଉତ୍ତରାଞ୍ଚଳ ଭାରତର ପ୍ରାୟ ୪୮ କୋଟି ଲୋକଙ୍କ ଆୟୁ ପ୍ରାୟ ୯ ବର୍ଷ ଲେଖାଏଁ କମିବ।

ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟ ସ୍ଥିତ ଶକ୍ତି ନୀତି ପ୍ରତିଷ୍ଠାନ ବା ଇପିଆଇସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଭାରତରେ ପ୍ରଦୂଷଣର ମାତ୍ରା ଏବେ ଶୀର୍ଷ ସ୍ତରରେ ରହିଛି। ଭୌଗଳିକ ଭାବେ ଏହାର ପରିସୀମା ବି ବୃଦ୍ଧିପାଉଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଏବେ ପ୍ରଦୂଷଣ ଅତି ଗୁରୁତର ଆକାର ଧାରଣ କରିଥିବା ନେଇ ସୂଚନା ଦିଆଯାଇଛି ।

୨୦୧୯ରେ ଗୃହିତ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ବା ଏନସିଏପି ଯଦି ଠିକ୍ ଭାବେ ପାଳନ କରାଯାଏ, ତେବେ ଦେଶରେ ହାରାହାରି ଆୟୁ ହାର ୧.୭ ବର୍ଷ ଏବଂ କେବଳ ଦିଲ୍ଲୀରେ ୩.୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି । ୨୦୨୪ ସୁଦ୍ଧା ଶିଳ୍ପ ସମୁଦାୟର ନିର୍ଗମନ ହ୍ରାସ କରି ଦେଶର ୧୦୨ଟି ସବୁଠାରୁ ପ୍ରଦୂଷିତ ସହରରେ ପ୍ରଦୂଷଣ ହାର ୨୦-୩୦ ପ୍ରତିଶତ ହ୍ରାସ ଲାଗି ଏନସିଏପିର ଆଭିମୁଖ୍ୟ ରହିଛି।

ତେବେ ଲଗାତାର ତୃତୀୟ ଥର ଲାଗି ଗତବର୍ଷ ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ନୂଆଦିଲ୍ଲୀ ରହିଥିଲା। ଗତବର୍ଷ ଦିଲ୍ଲୀର ୨ କୋଟି ଲୋକ ସ୍ୱଚ୍ଛ ବାୟୁ ଅଭାବର ଶିକାର ହୋଇଥିଲେ। ପଞ୍ଜାବ ଓ ହରିଆଣାରେ ବିଭିନ୍ନ ଫାର୍ମର ଅବଶେଷାଂଶରେ ନିଆଁ ଲଗାଯାଇଥିବା ଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଥିଲା।

Leave a Reply