ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ପାଇଁ ବିରୋଧୀଙ୍କ ଦାବି: ‘ଦର ବୃଦ୍ଧି OERCଙ୍କ ନିଷ୍ପତ୍ତି’

1 min read

ଭୁବନେଶ୍ୱର: ଦୀର୍ଘ ୭ବର୍ଷ ପରେ ବିଦ୍ୟୁତ୍‌ ଦର ୪ ପ୍ରତିଶତ ବୃଦ୍ଧି ପାଇଛି । ଉତ୍ପାଦନ, ପ୍ରସାରଣ ଓ ବଣ୍ଟନ ଖର୍ଚ୍ଚ ବଢିଥିବାରୁ ବିଦ୍ୟୁତ୍‌ ଦର ବୃଦ୍ଧି କରାଯାଇଥିବା ଶକ୍ତିମନ୍ତ୍ରୀ କହିଛନ୍ତି । ସେପଟେ  ବର୍ଦ୍ଧିତ ବିଦ୍ୟୁତ୍‌ ଦର ପ୍ରତ୍ୟାହାର ପାଇଁ ବିରୋଧୀ ଦାବି କରିଛନ୍ତି । ଓଇଆର୍‌ସି ଅଫିସ୍‌ ସମ୍ମୁଖରେ ବିଜେପି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବା ପାଇଁ  ଚେତବାନୀ ଦେଇଛି ।

 ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ-ଓଇଆର୍‌ସି ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଛି । ଅକ୍ଟୋବର ମାସରୁ ଲାଗୁ ହେବାକୁ ଥିବା ଏହି ନୂଆ ଦରକୁ ନେଇ ଉଠିଛି ପ୍ରତିବାଦର ସ୍ୱର । ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ଓଇଆର୍‌ସି ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିରୋଧୀ ଦଳ ନେତା ଦାବି କରିଛନ୍ତି ଯେ କରୋନା ସମୟରେ ଲୋକଙ୍କ ଆର୍ଥକ ସ୍ଥିତି ଠିକ୍‌ ନଥିବାରୁ ସରକାର ବର୍ଦ୍ଧିତ ଦର ପ୍ରତ୍ୟାହାର କରନ୍ତୁ । କଂଗ୍ରେସ ମଧ୍ୟ ବର୍ଦ୍ଧିତ ବିଦ୍ୟୁତ୍‌ ଦର ପ୍ରତ୍ୟାହାର କରିବାକୁ ଦାବି କରିଛି । ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭାରେ ଏହାକୁ ପ୍ରସଙ୍ଗ କରିବ ବୋଲି କହିଛି ।

ସେପଟେ ବିଦ୍ୟୁତ୍‌ ଦର ବୃଦ୍ଧି ରାଜ୍ୟ ସରକାର ନୁହନ୍ତି, ଓଇଆର୍‌ସି କରିଥାଏ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଦୀର୍ଘ ୭ ବର୍ଷ ପରେ ଓଡ଼ିଶାରେ ବିଦ୍ୟୁତ ଦର ମାତ୍ର ୪ ପ୍ରତିଶତ ବୃଦ୍ଧି ପାଇଛି । ଉତ୍ପାଦନ, ପ୍ରସାରଣ ଓ ବଣ୍ଟନ ଖର୍ଚ୍ଚ  ବଢ଼ିଥିବାରୁ ଦର ବୃଦ୍ଧି କରାଯାଇଛି । ସେପଟେ ପ୍ରେସ୍‌ନୋଟ୍‌ରେ ଓଇଆର୍‌ସି କହିଛି, ୨୦୦୧-୦୨,୨୦୦୯-୧୦, ୨୦୧୪-୧୫, ୨୦୧୬-୧୭,୨୦୧୮-୧୯ ଓ ୨୦୧୯-୨୦ ଆର୍ଥକବର୍ଷରେ ବିଦ୍ୟୁତ୍‌ ଦର ବୃଦ୍ଧି କରାଯାଇ ନଥିଲା। ଗ୍ରୀଡ୍‌କୋ ଉପରେ ୬୬୬କୋଟି ଟଙ୍କା ନିଅଣ୍ଟିଆ ବୋଝ ପଡ଼ିଥିବାରୁ ଦର ବୃଦ୍ଧି ହୋଇଥିବା ଓଇଆର୍‌ସି ଯୁକ୍ତି ବାଢ଼ିଛି । ତେବେ କୃଷିକ ଓ ବିପିଏଲ୍‌ ଉପଭୋକ୍ତଙ୍କ ପାଇଁ ନୂଆ ଦର ଲାଗୁ ହେବ ନାହିଁ ବୋଲି ଓଇଆର୍‌ସି ସଚିବ କହିଛନ୍ତି

 ଅକ୍ଟୋବର ପହିଲାରୁ ନୂଆଦର ଲାଗୁ ହେବ ।  ବିଦ୍ୟୁତ୍‌ ଦର ଛଡ଼ା ମିଟର ଭଡ଼ା, ଓପିଟିସିଏଲ୍‌ ପରିବହନ ଖର୍ଚ୍ଚ ଆଦି ଅପରିବର୍ତ୍ତିତ ରହିଛି । ତେବେ କରୋନା ମହାମାରୀ ସମୟରେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି

Leave a Reply