ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମା ପିଙ୍ଗିଲେ ଦୁର୍ବୃତ୍ତ: ଶିଲଂରେ ୨ ଦିନିଆ କର୍ଫ୍ୟୁ

ଶିଲଂ: ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଆବାସ ଉପରେ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ରବିବାର ରାତିରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଂଙ୍ଗାମାଙ୍କ ବାସଭବନ ଉପରେ ହୋଇଛି ବୋମା ମାଡ଼। ଏନେଇ ସୂଚନା ଦେଇଛି ମେଘାଳୟ ପୋଲିସ ।

ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣା ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହୋଇଛି। କିଛି ଦୁର୍ବୃତ୍ତ ଗାଡ଼ିରେ ଆସି ଶିଲଂର ଥାର୍ଡ ମାଇଲ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ନିଜ ବାସଭବନ ପରିସରକୁ ପେଟ୍ରୋଲ ଭର୍ତ୍ତି ଦୁଇଟି ବୋତଲ ଫିଙ୍ଗି ଚାଲି ଯାଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ କୌଣସି କ୍ଷତି ଘଟିନାହିଁ। ଗୋଟିଏ ବୋତଲ ବାସଭବନର ଆଗପଟେ ଓ ଆଉ ଗୋଟିଏ ବୋତଲ ଘରର ପଛପଟେ ପକାଇଥିଲେ ଦୁର୍ବୃତ୍ତ। ବାସଭବନ ଦାୟିତ୍ୱରେ ଥିବା ଚୌକିଦାର ତୁରନ୍ତ ନିଆଁକୁ ଲିଭାଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ରାଜଧାନୀ ଓ ଆଖପାଖ ଅଞ୍ଚଳରେ ହେଇଥିବା ଭଙ୍ଗାରୁଜା ଓ ଅଗ୍ନିକାଣ୍ଡକୁ ନଜରରେ ରଖି ରାଜ୍ୟ ସରକାର ଶିଲଂରେ ୨ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ସକାଳ ୫ଟା ଯାଏଁ ଶିଲଂରେ କର୍ଫୁ କଟକଣା ରହିବ। ଏଥିସହିତ ୪ଟି ଜିଲ୍ଲରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ଏସବୁ ମଧ୍ୟରେ ମେଘାଳୟର ଗୃହ ମନ୍ତ୍ରୀ ଲଖନ ରିମ୍ବୁଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହିଂସା ମଧ୍ୟରେ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

ଅଗଷ୍ଟ ୧୩ରୁ ରାଜ୍ୟରେ ଜାରି ରହିଛି ହିଂସା । ପୂର୍ବତନ ବିଦ୍ରୋହୀ ନେତା ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ହିଂସା ବଢିଚାଲିଛି । ପୋଲିସ ଥାଙ୍ଗଖ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଯାହାପରଠୁ ମେଘାଳୟରେ ବିବାଦ ବଢ଼ିବାରେ ଲାଗିଛି।

Leave a Reply