ପିଡିଏସ ଚାଉଳ ଘୋଟାଲାର ମହାଖୁଲାସା

ମୟୂରଭଞ୍ଜ: ଦାୟିତ୍ୱରେ ଥିଲେ, ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ମଧ୍ୟ ପାଉଥିଲେ । ହେଲେ ଶେଷରେ ହିତାଧିକାରୀଙ୍କ ପାଇଁ ଆସିଥିବା ପିଡିଏସ୍ ଚାଉଳକୁ ଚଳୁ କରିନେଲେ ଦୁଇ ସରକାରୀ ଅଧିକାରୀ । ତଦନ୍ତ ପରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଆଉ ଏବେ ଦୁଇ ଅଧିକାରୀଙ୍କୁ ଖୋଜୁଛି ପୋଲିସ୍।

ଗରିବ ହିତାଧିକାରୀଙ୍କ ପିଡିଏସ ଚାଉଳ ଘୋଟାଲାର ମହା ଖୁଲାସା । ଖୋଲିଗଲା ଯୋଗାଣ ସହାୟକ ଓ ପଞ୍ଚାୟତ ର୍ନିବାହୀ ଅଧିକାରୀଙ୍କ କଳାମୁଖା । ସତ ପଦାକୁ ଆସିବା ପରେ ଥାନାରେ ବିଡ଼ିଓଙ୍କ ଏତଲା । ଗିରଫ ଭୟରେ ଦୁଇ ଅଧିକାରୀ ଫେରାର । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜାମବଣୀ ପଂଚାୟତର ଯୋଗାଣ ସହାୟକ ଦେବେନ୍ଦ୍ର ଘଡେଇ ଏବଂ ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀ ନରସିଂହ ପାତ୍ରଙ୍କ କଳା କାରନାମାର ପଦ୍ଦାଫାସ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ଭକୁଆ ବନାଇ ୭ହଜାର ୩ ଶହ କିଲୋ ଚାଉଳ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ମିଶି ଗତ ୨୦୨୩ ବର୍ଷ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସର ୧୧୨ ଜଣ ହିତାଧିକାରୀଙ୍କ ଚାଉଳ ଚଳୁକରି ନେଇଥିବା ଅଭିଯୋଗ ହୋଇଛି ।

ହିତାଧିକାରୀଙ୍କ ନିକଟରୁ ଟିପ ଚିହ୍ନ ନେଇ ଚାଉଳ ପ୍ରଦାନ କରାଯିବାର ରସିଦ୍ ମଧ୍ୟ ପ୍ରଦାନ କରୁଥିଲେ । ହେଲେ ଚାଉଳ ଦେଉ ନ ଥିଲେ, ପର ମାସରେ ଦିଆଯିବ ବୋଲି କହି ହିତାଧିକାରୀଙ୍କୁ ଫେରାଇ ଦେଉଥିଲେ । ସେପଟେ ସରକାରୀ ରେକର୍ଡରେ ସମସ୍ତ ହିତାଧିକାରୀ ଚାଉଳ ପାଉଥିବା ଦେଖାଉଥିଲେ ।ଏନେଇ ଅଭିଯୋଗ ପରେ ତଦନ୍ତ କରି ପୁରା ଘଟଣା ଉପରୁ ପରଦା ଉଠାଇଥିଲେ ଯୋଗାଣ ଅଧିକାରୀ । ଦୁର୍ନିତୀ ବିଷୟରେ ଜଣାଇବା ପରେ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ । ଏବେ ଗିରଫ ଭୟରେ ଦୁଇ ଅଧିକାରୀ ଲୁଚି ବୁଲୁଥିବା ଜଣାପଡିଛି ।