ପରୀ ହତ୍ୟା ମାମଲା: ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ ତୀବ୍ର ନିନ୍ଦା

ନୟାଗଡ଼: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ କଡ଼ା ନିନ୍ଦା । ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ବିଜେପି କର୍ମୀ ଭୁଲ୍ କରିଛନ୍ତି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ରାଜନୈତିକ ଦଳଗୁଡ଼ିକର ଏଭଳି ଆଚରଣ ଗ୍ରହଣୀୟ ନୁହେଁ କିମ୍ବା ଏହା ଶୁଭଙ୍କର ନୁହେଁ । ସାମ୍ବାଦିକଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଆଯିବା ଆବଶ୍ୟକ । ଏଥିରେ କୌଣସି ବି ରାଜନୈତିକ ପ୍ରତିକ୍ରିୟାଶୀଳ ହେବା ଉଚିତ୍‌ ନୁହେଁ । ଯଦୁପୁରରେ ଯାହା ଘଟିଛି ତାହା ରାଜନୈତିକ ଦଳର ପ୍ରତିହିଂସାକୁ ଦର୍ଶାଉଛି ।

ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡର ରିପୋର୍ଟିଂ କରୁଥିବା ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି । ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ । କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ।

ଘଟଣାସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ ଉପସ୍ଥିତ ଥିଲେ । ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ ବରିଷ୍ଠ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି । ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି ।

Leave a Reply