ତୁଟୁଛି ପାକିସ୍ତାନୀ ନ୍ୟାୟାଳୟ ଉପରେ ଭରସା, ପ୍ରତିଷ୍ଠା ହେବ ମିଲିଟାରୀ କୋର୍ଟ !

ଲାହୋର: ମିଲିଟାରୀ କୋର୍ଟଗୁଡିକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଚିନ୍ତା କରୁଛନ୍ତି ପାକିସ୍ତାନ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ ସୁରକ୍ଷା ଦେଉଥିବା ଅଭିଯୋଗ କ୍ରମେ ମିଲିଟାରୀ କୋର୍ଟଗୁଡିକ ଉପରେ ଭରସା ରଖିଛନ୍ତି ସରକାର । ଏଥିଲାଗି ଏକ ଆଇନ ଆଣିବାକୁ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି ।

ଗୁଇନ୍ଦାଗିରି ଅଭିଯୋଗ କ୍ରମେ ଗିରଫ ହୋଇଥିବା ଭାରତୀୟ କୁଳ ଭୂଷଣ ଯାଦବଙ୍କ କ୍ଷେତ୍ରରେ ପାକିସ୍ତାନୀ କୋର୍ଟ ବିଚାର କରି ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ସେହି କୋର୍ଟ ଉପରେ ବିଶ୍ବାସ ବ୍ୟକ୍ତ କରୁଛନ୍ତି ସରକାର । ୨୦୧୪ ଡିସେମ୍ବର ୧୬ ତାରିଖରେ ପେଶଓ୍ବାରର ଏକ ଆର୍ମି ପବ୍ଲିକ ସ୍କୁଲରେ ପାକିସ୍ତାନୀ ତାଲିବାନୀମାନେ ଆଖିବୁଜା ଗୁଳିମାଡ କରିବା ଫଳରେ ୧୩୪ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ । ସେହି ଘଟଣାକୁ ନେଇ ପାକିସ୍ତାନ ସରକାର ୨୦୧୫ରେ ମିଲିଟାରୀ କୋର୍ଟ ପ୍ରତିଷ୍ଠା କରିଥିଲେ ।

ସ୍ବତନ୍ତ୍ର ଆଇନ ବଳରେ ତିଆରି ହୋଇଥିବା ଏହି କୋର୍ଟର ଅବଧି ପ୍ରତି ୨ ବର୍ଷରେ ନବୀକରଣ ହେବାର ଆବଶ୍ୟକତା ରହିଛି । ଗତ ଜାନୁଆରୀ ୭ରେ ଏହାର ଅବଧି ଶେଷ ହୋଇଥିବାରୁ ଏହାକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଯୋଜନା କରିଛନ୍ତି ସରକାର । ଏହି କୋର୍ଟଗୁଡିକ ଜରିଆରେ ଅନେକ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉଥିବାରୁ ସରକାର ଏହା ଉପରେ ଭରସା ରଖିଛନ୍ତି । ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ତତକାଳୀନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ ସରକାର ବାଲୁଚସ୍ତାନରୁ  ୨୦୧୬ରେ ଗିରଫ କରିଥିଲେ । ମାମଲାର ବିଚାର କରି ପାକିସ୍ତାନର ଏକ ଫିଲ୍ଡ ଜେନେରାଲ କୋର୍ଟ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହି ରାୟ ବିରୋଧରେ ଭାରତ ସରକାର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସଙ୍କ ଦ୍ବାରସ୍ଥ ହେବା ପରେ ତାଙ୍କର ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ହୋଇଥିଲା ।