ବଢ଼ୁଛି ହକି ବିଶ୍ୱକପ୍ ଉତ୍ସାହ, ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ବଢୁଛି ଉତ୍ସାହ । ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ । ସ୍କୁଲ, କଲେଜରେ ଖେଳ ଓ ହକିର କରାଯିବ ପ୍ରମୋସନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷରେ ବସିଥିବା ହକି ବିଶ୍ବକପ ଆୟୋଜନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶ୍ବକପ ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଯୋଗାଯୋଗ, ଚିକିତ୍ସା, ଟ୍ରାଫିକ ଓ ଗହଳି ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି ।

ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ ପାଇଁ ବ୍ୟୟ କରିବ । ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ହେବ । ଉଭୟ ଷ୍ଟାଡିୟମରେ ସମସ୍ତ ବନ୍ଦୋବସ୍ଥ କରାଯାଉଛି । ଖୁବଶୀଘ୍ର ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସରେ ଯାଇପାରିବେ । ଆସନ୍ତା ୧୧ତାରିଖରେ କଟକରେ ହକି ବିଶ୍ବକପ ଉଦଘାଟନ କାର୍ଯ୍ୟକ୍ରମ ହେବ ।

ସେଥିପାଇଁ ମଧ୍ଯ ବୈଠକରେ ଆଲୋଚନା କରାଯାଇଛି । ବିଶ୍ବକପ ପୂର୍ବରୁ ସବୁ ଜିଲ୍ଲାରେ ନଗର କ୍ରୀଡ଼ା ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହେବ । ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରାଯିବର ବ୍ୟବସ୍ଥା ରହିଛି । ରାଜ୍ୟର ସବୁ ଜିଲ୍ଲାକୁ ହକି ଟ୍ରଫି ଟୁର କରିବ । ଆଜିର ଏହି ବୈଠକରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ହକିର ଅଧିକାରୀମାନେ ଆଲୋଚନା ସମୟରେ ଉପସ୍ଥିତ ଥିଲେ ।