ସଂସଦରେ ଅଚଳାବସ୍ଥା: ନିଲମ୍ବନ ନହଟିଲା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନକୁ ବିରୋଧୀ କଲେ ବର୍ଜନ

ନୂଆଦିଲ୍ଲୀ: ଧାରଣାରୁ ହଟିଲେ, ହେଲେ ବିରୋଧ ଜାରି । ସଂସଦ ପରିସରରେ ସାରା ରାତି ଧାରଣାରେ ବସିଥିଲେ ନିଲମ୍ବିତ ୮ ସାଂସଦ । ରାଜ୍ୟସଭାର ୮ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ବର୍ଜନ କରିବେ ବିରୋଧୀ । ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଗୁଲାମ୍ ନବୀ ଆଜାଦ ।

ଗତକାଲିଠାରୁ ଧାରଣାରେ ବସିଥିଲେ ନିଲମ୍ବିତ ୮ ସାଂସଦ । ସେମାନଙ୍କ ସମର୍ଥନରେ ସଂସଦ ବର୍ଜନ କରିଥିଲା କଂଗ୍ରେସ । ଏଥିସହ ସଂସଦ ପରିସରରେ ଗାନ୍ଧୀ ମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରାଯାଇଛି । କୃଷି ବିଲ୍ ଉପସ୍ଥାପନ ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ୮ ସାଂସଦଙ୍କୁ ଗତକାଲି ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ । ସେପଟେ ରାଜ୍ୟସଭାରେ ହଙ୍ଗାମାକୁ ନେଇ ଗୋଟିଏ ଦିନ ପାଇଁ ଉପବାସ ରଖିଛନ୍ତି ଉପାଧ୍ୟକ୍ଷ ହରିବଂଶ ସିଂ ।

ବିରୋଧୀ ସାଂସଦଙ୍କ ବିଶୃଙ୍ଖଳିତ ଆଚରଣ ବିରୋଧରେ ସେ ଉପବାସ ରଖିଛନ୍ତି । ଆଜି ସକାଳୁ ଧାରଣାରେ ବସିଥିବା ସାଂସଦଙ୍କୁ ଭେଟିଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ ।  ସାଂସଦଙ୍କ ପାଇଁ ଚା’ ନେଇ ଯାଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ । କିନ୍ତୁ ଧାରଣା ଦେଇଥିବା ସାଂସଦମାନେ ଚା’ ପିଇବାକୁ ମନା କରିଥିଲେ । ତେବେ ଚା’ ନେଇ ଯାଇଥିବାରୁ ହରିବଂଶଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply