ଅର୍ଥୋଡକ୍ସ କ୍ରିସମାସକୁ ଦୃଷ୍ଟିରେ ରଖି ପୁଟିନଙ୍କ ଦୁଇଦିନିଆ ଅସ୍ତ୍ରବିରତି ଘୋଷଣା

1 min read

ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି । ରୁଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ରାତିରେ ଘୋଷଣା କରିଛନ୍ତି ଯେ, ତାଙ୍କ ସେନା ୬ ଏବଂ ୭ ଜାନୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିବେନି । ଅର୍ଥାତ ୟୁକ୍ରେନରେ ରୁଷ୍ ପକ୍ଷରୁ ଅସ୍ତ୍ରବିରତି ରହିବ । ଜାନୁଆରୀ ତାରିଖ ରାତି ୧୨ଟାରୁ ୩୬ ଘଣ୍ଟା ଯାଏ ୟୁକ୍ରେନର ସମସ୍ତ ସୀମାରେ ଗୁଳିଗୋଳା ବନ୍ଦ ରହିବ । ପୁଟିନ ଏହି ନିଷ୍ପତ୍ତି ରୁଷର ଇସାଇ ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲଙ୍କ ଅପିଲ ପରେ ନେଇଛନ୍ତି ।

କିରିଲ ନିବେଦନ କରିଥିଲେ ଯେ, ୟୁକ୍ରେନରେ ଚଳିତ ସପ୍ତାହରେ ୩୬ ଘଣ୍ଟା ପାଇଁ ଯୁଦ୍ଧ ରୋକାଯାଉ । ତେବେ ଅସ୍ତ୍ରବିରତି ନେଇ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ କୌଣସି ପ୍ରତିକ୍ରିୟା ଦେଇନାହିଁ । ରୁଷର ଅର୍ଥୋଡକ୍ସ ଚର୍ଚ୍ଚ ପୂରୁଣା ଜୁଲିୟନ କ୍ୟାଲେଣ୍ଡରର ବ୍ୟବହାର କରିଥାଏ । ଏଥିପାଇଁ ଜାନୁଆରୀରେ କ୍ରିସମାସ ପର୍ବ ପାଳନ ହୋଇଥାଏ । ଯାହାକି ଗ୍ରିଗୋରିୟାନ କ୍ୟାଲେଣ୍ଡରଠାରୁ ୧୩ ଦିନ ପରେ ପଡ଼ିଥାଏ । ଏହା ୭ ଜାନୁଆରୀରେ ପାଳନ କରାଯାଇଥାଏ ।

ଅର୍ଥୋଡକ୍ସ କ୍ରିସମାସ ପୂର୍ବ ୟୁରୋପୀୟ ଦେଶ ଯେମିତି କି ରୁଷ୍, ଗ୍ରୀସ, ଇଥିୟୋପିୟା ଏବଂ ଇଜିପ୍ଟରେ ପାଳନ କରାଯାଇଥାଏ । ସୂଚନାଥାଉକି, ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ୧୧ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଚାଲିଛି । ଛୋଟିଆ ଦେଶ ହେଲେ ବି ୟୁକ୍ରେନ ନାଟୋଠୁ ସମର୍ଥନ ନେଇ ରୁଷ୍ କୁ କଡ଼ା ଜବାବ ଦେଉଛି । ସମସ୍ତେ ଭାବୁଥିଲେ ରୁଷ୍ ଭଳି ବିଶାଳ ଦେଶ ଆଗରେ ୟୁକ୍ରେନ ଅଧିକ ସମୟ ତିଷ୍ଟି ପାରିବନି । ହେଲେ ଆମେରିକା, ବ୍ରିଟେନ ଭଳି ଦେଶଗୁଡିକଠୁ ସମର୍ଥନ ପାଇ ୟୁକ୍ରେନ ଯୁଦ୍ଧରେ ବଳବତ୍ତର ରହିଛି ।