ରାଜ୍ଯରେ ଆଜିଠୁ କମିବ ବର୍ଷା, ଧୀରେଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର : ରାଜ୍ଯରେ ଆଜିଠୁ କମିବ ବର୍ଷା । ଗଭୀର ଅବପାତ ଦୁର୍ବଳ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ । ଏବେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟପ୍ରଦେଶ ମୁହାଁ ହେଉଛି । ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ଯମଧରଣ ବର୍ଷା ହେଉଛି । ଆଜିଠୁ ବର୍ଷା କମିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଲଗାଣ ଲଘୁଚାପ ବର୍ଷା ପରେ ଧୀରେଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି ଦକ୍ଷିଣ ଓଡ଼ିଶା । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି । ଏବେ ବି ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି । ଲୋକମାନେ ଘର ପାଣି ବାହାର କରିବା ସହ ଜିନିଷପତ୍ର ପାଣିରୁ ଛାଣିଆଣୁଛନ୍ତି । ବ୍ଯାପକ ଜମିରେ ଫସଲ ଉଜୁଡ଼ିଯାଇଥିବାବେଳେ ରିଲିଫ ଯୋଗାଣ ତ୍ବରାନ୍ବିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଆସନ୍ତା ୧୭ ଓ ୧୮ ତାରିଖ ବେଳକୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।