ଶ୍ରୀମନ୍ଦିର ବେଢ଼ା ଭିତରେ ହେବ ରଥ କାଠ ଅନୁକୂଳ, ବନ୍ଦ ହେବନି ନୀତିକାନ୍ତି..

ପୁରୀ: ଚଳିତ ଥର କରୋନା ପାଇଁ ରଥ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା ଉପୁଜିଥିଲା । ହେଲେ ବିଶ୍ୱ ନିୟନ୍ତାଙ୍କ ବିଧିରେ କୌଣସି ବାଧା ସୃଷ୍ଟି ହେବନି ବୋଲି ସ୍ପଷ୍ଟ ହୋଇସାରିଛି । କରୋନା ଭୟ ସତ୍ତ୍ୱେ ଶ୍ରୀମନ୍ଦିରର ନୀତିକାନ୍ତି ଅକ୍ଷୁର୍ଣ୍ଣ ରହିବ । ସାମାଜିକ ଦୂରତା ବଜାୟ ରଖି ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ଶ୍ରୀମନ୍ଦିର ବେଢ଼ା ଭିତରେ ଜଳକ୍ରୀଡ଼ା କରିବେ ଶ୍ରୀଜିଉ । ଅନୁକୂଳ ହେବ ରଥ ନିର୍ମାଣ । ଆନନ୍ଦ ବଜାର ଚାହାଁଣି ମୃଣ୍ଡପ ପାଖରେ ସମ୍ପନ୍ନ ହେବ ଅକ୍ଷୟ ତୃତୀୟା ନୀତି । ଆଜି ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀମୃନ୍ଦିର ବେଢ଼ା ଭିତରେ ହେବ ରଥ ନିର୍ମାଣ ଅନୁକୂଳ ଓ ବାହାରେ ଚନ୍ଦନଯାତ୍ରା । ଘନଘନ ବୈଠକ ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ନେଇ ମେ’ ୩ରେ ଲକ୍‌ଡାଉନ୍‌ ଉଠିବା ପରେ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ବେଢ଼ା ଭିତରେ ଅସ୍ଥାୟୀ ଜଳକୁଣ୍ଡ ନିର୍ମାଣ, ଆଜ୍ଞାମାଳା ବିଜେଠାରୁ ଆରମ୍ଭ କରି ବନଜାଗ ପଦ୍ଧତିରେ ପରେ ରଥ ନିର୍ମାଣ ଅନୁକୂଳ ନୀତି ସଂପନ୍ନ ହେବ । ସାମାଜିକ ଦୂରତା ରଖି ସବୁନୀତି ସଂପନ୍ନ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଇଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି ।

ରଥ ନିର୍ମାଣ ଅନୂକୂଳ ସମୟରେ ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଧିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ ।

ଏହାକୁ ତିନି ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ପାଳନ କରିଥାନ୍ତି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି ।

Leave a Reply