ରାଜଧାନୀରେ ବଢ଼ୁଛି ଅପରାଧ,ଶିଥିଳ ପଡ଼ିଛି ତଦନ୍ତ: ୩ହଜାରରୁ ଊର୍ଦ୍ଧ୍ୱ ମାମଲାର ହୋଇପାରିନି ତଦନ୍ତ

ଭୁବନେଶ୍ୱର: ଲୁଟେରା ଓ ଠକଙ୍କ କବଜାରେ ରାଜଧାନୀ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ଲୋଭ ଦେଖା ଠକ ଲଗାଉଛି ଚୂନା । ତଦନ୍ତରେ ଶିଥିଳ ପଡିଛି ପୋଲିସ । ପୋଲିସର ବାର୍ଷିକ ରିପୋର୍ଟ ଅନୁସାରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚୋରି, ଠକେଇ ବଢିଛି । ୨୦୧୯ରେ ୮୨୨୯ଟି ମାମଲା, ୨୦୨୦ରେ ୭୬୭୪ଟି ମାମଲା ଓ ୨୦୨୧ରେ ନଭେମ୍ବର ୩୦ ତାରଖ ସୁଦ୍ଧା ୨୨ଟି ଥାନାରେ ୮ ହଜାର ୪୭୩ଟି ମାମଲା ରୁଜୁ ହୋଇଛି । ୫୩୯୮ଟି ମାମଲାର ତଦନ୍ତ ଶେଷ ହୋଇଛି ।

ମୋକଦ୍ଦମା ଭିତରେ ରହିଛି ହତ୍ୟା, ଦୁଷ୍କର୍ମ, ଲୁଟ ଓ ଡକାୟିତି ଭଳି ମାମଲା । ୩୨ ହତ୍ୟାକାଣ୍ଡରୁ ୯ଟି, ୧୦୮ଟି ଦୁର୍ଷ୍କମ ମାମଲାରୁ ୭୭ଟି, ୫୪୭ଟି ଛିନତାଇରୁ ୩୯୩ଟି, ୪୨୬ଟି ସିନ୍ଧି ଚୋରୀରୁ ୨୮୩ଟି ୧୮୮୦ ଚୋରି ମାମଲାରୁ ୧୩୫୫ଟି ଓ ଅନ୍ୟାନ୍ୟ ୪୦୭୫ଟି ମାମଲାରୁ ୨୫୫୩ଟି କେସର ତଦନ୍ତ ଶେଷ କରିଛି ପୋଲିସ । ଜଟଣୀ ଥାନାରେ ସର୍ବାଧିକ ୪ ଟି ହତ୍ୟା ଓ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ମହିଳା ଥାନାରେ ସର୍ବାଧିକ ୧୯ଟି ଦୁର୍ଷ୍କମ ମାମଲା ରୁଜୁ ହୋଇଛି ।
ସେପଟେ ରାଜଧାନୀରେ ଅପମୃତ୍ୟୁ ମାମଲାକୁ ନେଇ ରିପୋର୍ଟ ପ୍ରକାଶ କରିଛି ପୋଲିସ । ୨୦୧୯ରେ ୧୪୮୩ ଓ ୨୦୨୦ରେ ୧୫୮୩ ଅପ ମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ । ଚିଳିତ ବର୍ଷ ୨୨ ଟି ଥାନାରେ ନଭେମ୍ବର ୩୧ ତାରିଖ ସୁଦ୍ଧା ୧୫୫୪ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସେ ମଧ୍ୟରୁ ୫୫୯ ଟି ମାମଲାର ତଦନ୍ତ ଶେଷ ହୋଇଛି । ଖଣ୍ଡଗିରି ଥାନାରେ ସର୍ବାଧିକ ୬୮ ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି । ୧୫୫୪ଟି ଅପମୃତ୍ୟୁ ମାମଲାରୁ ୨୭୭ଟି ମାମଲା ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ମହିଳା ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି । ବିଷ ପ୍ରକ୍ରିୟା ଦ୍ଵାରା ୭୭ ଜଣ ପୁରୁଷ ଓ ୪୨ ଜଣ ମହିଳା, ଫାଶୀ ଲଗାଇ ୭୭ ଜଣ ପୁରୁଷ ଓ ୪୨ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି । ପାଣିରେ ବୁଡି ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ଖଣ୍ଡଗିରି ଥାନାରେ ସର୍ବାଧିକ ୫୬ ଜଣ ବିଷ ପ୍ରକ୍ରିୟା ଦ୍ଵାରା, ଜଟଣୀ ଥାନାରେ ୧୪ ଜଣ ଫାଶୀ ଲଗାଇ ଓ ବାଲିଅନ୍ତା ଥାନାରେ ସର୍ବାଧିକ ୮ ଜଣ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ।

ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ନୂତନ ପ୍ରଣିତ ଆଇନ୍ ଅନୁସାରେ ନିୟମ ଉଲଙ୍ଘନକାରୀ ମାନଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହ ଉଚିତ ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିପରି ବକେୟା ମୋକଦ୍ଦମାଗୁଡିକର ତଦନ୍ତ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରି କୋର୍ଟରେ ଦାଖଲ କରିବାକୁ ଉଦ୍ୟମ ଜାରି ରହିଛି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply