ଚଣ୍ଡିଗଡ଼ ମ୍ୟୁନିସିପାଲଟି ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା: ସର୍ବାଧିକ ଆସନ ହାସଲ କଲା ଦଳ

1 min read

ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା । ୩ପ୍ରମୁଖ ଦଳ ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ଆମ ଆଦମୀ ପାର୍ଟିକୁ ସବୁଠୁ ବଡ଼ ସଫଳତା ମିଳିଛି । ଚଣ୍ଡିଗଡ଼ ମେୟର ତଥା ବିଜେପି ପ୍ରାର୍ଥୀ ରବିକାନ୍ତଙ୍କୁ ହରାଇଛନ୍ତି ଆମ ଆଦମୀ ପାର୍ଟିର ଦମନପ୍ରୀତ ସିଂ। ଓ୍ବାର୍ଡ ନମ୍ବର ୧୭ରେ ଦମନପ୍ରୀତ ୭୨୮ଭୋଟରେ ରବିକାନ୍ତ ଶର୍ମାଙ୍କୁ ହରାଇଛନ୍ତି । ମୋଟ ୩୫ ଓ୍ବାର୍ଡରେ ନିର୍ବାଚନ ହୋଇଥିବା ବେଳେ ୧୪ ଓ୍ବାର୍ଡରେ ଆପ୍‌ ପ୍ରାର୍ଥୀ ଜିତିଛନ୍ତି । ସେହିପରି ବିଜେପି ୧୨ଟି ସିଟ ଜିତିଛି । କଂଗ୍ରେସ ୮ଟି ସିଟରେ ଜିତିଥିବା ବେଳେ ଅକାଳୀ ଦଳ ଗୋଟିଏ ସିଟରେ ସନ୍ତୁଷ୍ଟ ହୋଇଛି ।

ପ୍ରଥମ ଥର ଲାଗି ଚଣ୍ଡିଗଡ଼ ମ୍ୟୁନିସିପାଲିଟି ନିର୍ବାଚନରେ ଲଢ଼ୁଥିବା ଆପ୍‌ ପାଇଁ ଏହା ବିରାଟ ସଫଳତା । ଚଣ୍ଡିଗଡ଼ରେ ଆପ୍‌ର ବିଜୟ ଏକ ଟ୍ରେଲର । ପଞ୍ଜାବରେ ପିକଚର ଅଭି ବାକି ହେ ବୋଲି କହିଛନ୍ତି ଦିଲ୍ଲୀ ରାଜେନ୍ଦ୍ର ନଗରର ଏମପି ତଥା ଆପ୍ ନେତା ରାଘବ ଚଡ୍ଡା । ସେ କହିଛନ୍ତି, କେଜରିଓ୍ବାଲ ମଡେଲ ପ୍ରତି ଲୋକଙ୍କ ବିଶ୍ବାସ ରହିଛି । ଯାହା ଏହି ମ୍ୟୁନିସିପାଲିଟି ରେଜଲ୍ଟରୁ ସ୍ପଷ୍ଟ ହୋଇଛି ବୋଲି ରାଘବ କହିଛନ୍ତି ।

ଗତ ମ୍ୟୁନିସିପାଲଟି ନିର୍ବାଚନରେ ବିଜେପି ମୋଟ ୨୬ଟି ସିଟ୍‌ରୁ ୨୧ଟି ସିଟ୍‌ରେ ବିଜୟୀ ହୋଇଥିଲା । ତେବେ ଚଳିତ ନିର୍ବାଚନରେ ମୋଟ ୧୨ଟି ଓ୍ୱାର୍ଡରେ ବିଜୟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ଡିସେମ୍ୱର ୨୪ରେ ଅନୁଷ୍ଠିତ ଏହି ନିର୍ବାଚନରେ ମୋଟ  ୬୦.୪୫ ପ୍ରତିଶତ ମତଦାନ ହୋଇଥିଲା ।

ତେବେ ଏହି ନିର୍ବାଚନ ଫଳାଫଳ ପରେ ଆମ୍ ଆଦମୀ ପାର୍ଟି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟ ଢ଼େର ଉତ୍ସାହ ଦେଖିବାକୁ ମିଳିଛି । ଏହି ଫଳାଫଳରେ ପଞ୍ଜାବରେ ହେବାକୁ ଥିବା ପରିବର୍ତ୍ତନକୁ ଦର୍ଶାଉଥିବା ଟ୍ୱିଟ୍ କରି କହିଛନ୍ତି ଦଳୀୟ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ।

Leave a Reply