ହକି ବିଶ୍ୱକପ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ଜାନୁଆରୀ ୧୩ରୁ ୨୯ ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ୍ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ଜଗନ୍ନାଥ ସରକା ସୋରନଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ସୋରେନ । ଯଥାସମ୍ଭବ ଓଡ଼ିଶା ଆସି ହକି ମହାକୁମ୍ଭରେ ସାମିଲ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ଦୁଇଟି ସ୍ଥାନ ବିର୍ଷାମୁଣ୍ଡା ଷ୍ଟାଡିୟମ ରାଉରକେଲା ଓ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ବିଶ୍ୱକପର ସମସ୍ତ ମ୍ୟାଚ ହେବ ।