ଝଡ଼ାଫୁଙ୍କା ଯୋଗୁଁ ସାହିରେ ଲାଗୁଥିଲେ କଳି, ଏବେ ଜିଅନ୍ତା ଜାଳିଦେଲେ..!

Odisha Jajpur News, Superstition Kills tribal Couple

ଯାଜପୁର: ପୁଣି ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ । ଗୋଟିଏ ପଟେ ମଣିଷ ଚନ୍ଦ୍ରରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଲୋକମାନେ ଏବେ ବି ଭୂତପ୍ରେତ ଉପରେ ବିଶ୍ୱାସ ରଖୁଛନ୍ତି । ସ୍ୱାସ୍ଥ୍ୟ ଖରାପ ହେଲେ ମେଡିକାଲ ବଦଳରେ ଲୋକ ତାନ୍ତ୍ରିକ ପାଖକୁ ଯାଉଛନ୍ତି । ଆଉ ଗୁଣିଗାରେଡ଼ି ସନ୍ଦେହରେ ନୀରିହ ଜୀବନ ମଧ୍ୟ ଚାଲିଯାଉଛି । ଆଉ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।

ତେବେ ଏମିତି ଏକ ଅନ୍ଧ ବିଶ୍ୱାସର କାହାଣୀ ପୁଣି ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ଗୁଣିଗାରେଡ଼ି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯାଜପୁର, କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ନିମପଲ୍ଲୀର ସୁରି ବସ୍ତିରେ ରହୁଥିବା ଆଦିବାସୀ ଦମ୍ପତ୍ତିଙ୍କୁ ଜିଆନ୍ତା ପୋଡ଼ି ମାରି ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅଗ୍ନିକାଣ୍ଡ ଖବର ଶୁଣି ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ଆଦିବାସୀ ଦମ୍ପତ୍ତି ଝଡ଼ାଫୁଙ୍କା କରୁଥିଲେ । ପୂର୍ବରୁ ଏଥିପାଇଁ ସାହି ପଡ଼ିଶା ସହ ତାଙ୍କର ଗଣ୍ଡଗୋଳ ମଧ୍ୟ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଅନୁମାନ କରୁଛି ଯେ, ଗୁଣିଗାରେଡ଼ି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ।

ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଆଦିବାସୀ ଦମ୍ପତ୍ତିଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା । ସେମାନେ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

Leave a Reply