ଶିଳ୍ପାୟନରେ ସ୍ବର୍ଣ୍ଣିମ ଇତିହାସ ଲେଖୁଛି ଓଡ଼ିଶା

ଭୁବନେଶ୍ବର: ଉନ୍ନତ ଭିତ୍ତିଭୂମି, ସିଙ୍ଗଲ ୱିଣ୍ଡୋ ସୁବିଧା । ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ ଓଡ଼ିଶା ପାଲଟିଛି ପ୍ରଥମ ପସନ୍ଦ । ଶିଳ୍ପାୟନ ସହ ତାଳ ଦେଇ ନିର୍ମାଣ ହେଉଛି ଲଜିଷ୍ଟିକ ଓ ଇଣ୍ଡଷ୍ଟ୍ରିଆଲ ହାଉସିଂ । ରାଜ୍ୟର ୧୨ଟି ଶିଳ୍ପାଞ୍ଚଳରେ ଇଡକୋ ନିର୍ମାଣ କରୁଛି ମେଗା ଶ୍ରମିକ ହଷ୍ଟେଲ୍ । ଆଗକୁ ଆହୁରି ୯ଟି ଶିଳ୍ପାଞ୍ଚଳରେ ନିର୍ମାଣ ହେବ ଶ୍ରମିକ ହଷ୍ଟେଲ୍ ।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଉପରେ ସାରା ବିଶ୍ବର ନଜର ରହିଛି । ଲୁହାପଥର, ବକ୍ସାଇଟ୍ ପାଇଁ ଓଡ଼ିଶା ପ୍ରସିଦ୍ଧ । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ପେଟ୍ରୋକେମିକାଲ, ପ୍ଲାଷ୍ଟିକ କ୍ଷେତ୍ରରେ ଦେଶ ବିଦେଶରୁ ଆସୁଛି ପୁଞ୍ଜି । ବ୍ୟାପକ ଶିଳ୍ପାୟନକୁ ନଜରରେ ରଖି କଞ୍ଚାମାଲ ଓ ଉତ୍ପାଦିତ ଦ୍ରବ୍ୟର ପରିବହନ ପାଇଁ ଲଜିଷ୍ଟିକ ଉପରେ ଗୁରୁତ୍ବ ଦିଆଯାଉଛି । ଆଗାମୀ ୫ ବର୍ଷରେ ବନ୍ଦର, ରେଳପଥ, ରାଜପଥ, ସ୍ଲରୀ ପାଇପ ଲାଇନରେ ୩ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହେବ । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାର ସହିତ କର୍ପୋରେଟ ଜଗତ ବି ସହଯୋଗ କରିବେ ।

ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ବହୁ ଆଗରେ । ଏହାକୁ ବାସ୍ତବ ରୂପ ଦେବାକୁ ଏବଂ ନେକ୍ସଟ୍ ଲେଭଲକୁ ନେବା ପାଇଁ ଲଜିଷ୍ଟିକ ଆପ୍ରୋଚ ଉପରେ ବି ଫୋକସ କରାଯାଉଛି । ହେଲେ ଅନେକ ଦିନ ହେଲାଣି ପଡ଼ି ରହିଥିବା ରେଳ ପ୍ରକଳ୍ପ ଏଥିରେ ବାଧକ ସାଜୁଛି । ସୁନ୍ଦରଗଡ଼, ଝାରୁସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଭଳି ଜିଲ୍ଲାରେ ବିଜୁ ସଡ଼କ ଓ ଜାତୀୟ ରାଜପଥ ଅଧିକ ଚଉଡ଼ା କରିବାକୁ ଯୋଜନା ହେଉଛି । ପାରାଦୀପ ବନ୍ଦରରେ ୨୫ ନିୟୁତ ଟନର ପଣ୍ୟ କାରବାର ପାଇଁ ଜିନ୍ଦଲ କମ୍ପାନୀ ଦୁଇଟି ବର୍ଥ ସ୍ଥାପନ କରୁଛି । କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଖଣି ଅଞ୍ଚଳରୁ ବନ୍ଦର ନଗରୀ ପାରାଦୀପକୁ କଞ୍ଚାମାଲ ପାଇଁ ବିଛା ଯାଇଥିବା ସ୍ଲରୀ ପାଇପ ଲାଇନ ଦେଶର ବୃହତ୍ତମ ନେଟଓ୍ବାର୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଶିଳ୍ପାୟନ ଓଡ଼ିଶାରେ ଏକ ନୂଆ ବିପ୍ଳବ ଆଣିଛି ବୋଲି ଭାରତୀୟ ଶିଳ୍ପ ସଂଘ ମତ ଦେଇଛି ।

ଭୁବନେଶ୍ବରରେ ଆୟୋଜିତ ସିଆଇଆଇର ଦ୍ବିତୀୟ ଇଷ୍ଟ ଇଣ୍ଡିଆ ମିଟରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜ୍ୟର ଆଇଟି ପଲିସି ଉପରେ ଆଲୋଚନା କରିବା ସହ ଭିତ୍ତଭୂମି କ୍ଷେତ୍ରରେ ଆଇଟିର ଭୂମିକା ଏବଂ ଉପଯୋଗ ଗୁରୁତ୍ବ ବୋଲି ମତ ରଖିଛନ୍ତି ।