ଏଲିଜାବେଥ ଦ୍ବିତୀୟଙ୍କ ପରେ କିଏ ହେବେ କୋହେନୂରର ଅଧିକାରିଣୀ?

1 min read

ଲଣ୍ଡନ: ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏଲିଜାବେଥ ଦ୍ବିତୀୟ। ବ୍ରିଟେନକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏଲିଜାବେଥଙ୍କ ପରଲୋକ ସାରା ବିଶ୍ବରେ ଶୋକ ଖେଳାଇ ଦେଇଛି ।

ତେବେ ମହାରାଣୀଙ୍କ ପରଲୋକ ପରେ କୋହିନୂର ହୀରାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । କାହା ମୁଣ୍ଡରେ ଶୋଭା ପାଇବ ଆଖି ଝଲସିଦେଉଥିବା ହୀରା? ଏଲିଜାବେଥ ଦ୍ବିତୀୟଙ୍କ ପରେ ବିଶ୍ବପ୍ରସିଦ୍ଧ କୋହିନୂର ହୀରାର ଅଧିକାରିଣୀ ହେବେ ଚାର୍ଲସଙ୍କ ପତ୍ନୀ କାମିଲା । ଚାର୍ଲସ ହେଉଛନ୍ତି ବ୍ରିଟେନ ମହାରାଣୀଙ୍କ ବଡ଼ ପୁଅ । ପ୍ରାଚୀନ ପରମ୍ପରା ଅନୁସାରେ ସେ ହୋଇଛନ୍ତି ଉତ୍ତରାଧିକାରୀ । ତାଙ୍କ ବୟସ ୭୩ ବର୍ଷ । ଏହା ସହ ସେ ହେଉଛନ୍ତି ସବୁଠାରୁ ବୟସ୍କ ଉତ୍ତରାଧିକାରୀ । ଏବେ କାମିଲା ହେଉଛନ୍ତି ଚାଲର୍ସଙ୍କ ପତ୍ନୀ ।

ଚଳିତ ବର୍ଷ ପ୍ରଥମ ଭାଗରେ ଏଲିଜାବେଥ ଘୋଷଣା କରିଥିଲେ ଯେ, ତାଙ୍କ ପରେ ଚାର୍ଲସଙ୍କ ପତ୍ନୀ କାମିଲା ପରବର୍ତ୍ତୀ କୁଇନ କନସର୍ଟ ହେବେ । ବ୍ରିଟେନ ପରମ୍ପରା ଅନୁସାରେ କୁଇନ କନସର୍ଟର ଅର୍ଥ ହେଉଛି- ଶାସକଙ୍କ ପତ୍ନୀ । ସେ ପାରମ୍ପରିକ ଭାବେ କୁଇନ କନସର୍ଟ ଭାବେ ପରିଗଣିତ ହେବେ । କୁଇନର ଅର୍ଥ ହେଉଛି- ପାରିବାରିକ ବ୍ୟବସ୍ଥା ଅନୁସାରେ ଯେଉଁ ମହିଳା ଶାସନକୁ ଆସିବେ ।

ଏବେ ଜାଣନ୍ତୁ ହୀରା ବିଷୟରେ..

୧୯୫.୬ କ୍ୟାରେଟର ଏହି ବିଶ୍ବପ୍ରସିଦ୍ଧ ହୀରା ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତରୁ ମିଳିଥିବାବେଳେ ପରେ ଏହା ପଞ୍ଜାବ ଶାସକଙ୍କ ହାତକୁ ଚାଲିଯାଇଥିଲା ।୧୮୪୯ରେ ପଞ୍ଜାବକୁ ବ୍ରିଟିସ ଭାରତରେ ମିଶାଇଦେବା ପରେ ଏହା ରାଣୀ ଭିକ୍ଟୋରିଆଙ୍କ ନିକଟକୁ ଚାଲିଯାଇଥିଲା । ସେହି ଦିନଠାରୁ ବ୍ରିଟିସ ଶାସକଙ୍କ ମଥାମଣି ଭାବେ ଏହା ପରିଗଣିତ ହୋଇଆସୁଛି ।

ଏବେ କୋହେନୂର ହୀରା ଏକ ପ୍ଲାଟିନମ କ୍ରାଉନ ମଧ୍ୟରେ ରହିଛି । ୧୯୩୭ରେ କିଙ୍ଗ ଜର୍ଜ ଷଷ୍ଠଙ୍କ ଅଭିଷେକ ଉତ୍ସବ ବେଳେ ତତକାଳୀନ ରାଣୀଙ୍କ ଲାଗି ଏହି ପ୍ଲାଟିନମ କ୍ରାଉନ ତିଆରି ହୋଇଥିଲା । ୨୫ ବର୍ଷ ବୟସରେ ସମ୍ରାଜ୍ଞୀ ହେବା ପରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ହାତକୁ ଯାଇଥିଲା କୋହିନୂର । ଏବେ ଏହାର ଅଧିକାରିଣୀ ହୋଇଛନ୍ତି କାମିଲା ।