ଓଡ଼ିଶା ସହ କେନ୍ଦ୍ର ଖେଳୁଛି କୋଇଲା ଖେଳ

ଭୁବନେଶ୍ବର: କୋଇଲାକୁ ନେଇ କେନ୍ଦ୍ରର ସାଂଘାତିକ ଖେଳ । ବର୍ଷେ ବିତିଲା, ଟଳିଲାନି କୋଇଲା କ୍ରାଇସିସ । ଶକ୍ତି ଉତ୍ପାଦନ ପାଇଁ ଦେଉଛି, ଏମଏସଏମଇ ଶିଳ୍ପ ପାଇଁ ଆଖି ବୁଜି ଦେଉଛି । ଏମିତି ସ୍ଥିତିରେ ପ୍ରଶ୍ନ ଉଠିବାରେ ଲାଗିଛି କେମିତି ଚାଲିବ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ? କେନ୍ଦ୍ର କ’ଣ ଚାହୁଁନି ଓଡ଼ିଶା ବିକାଶ ?

ସ୍ଥିତି ଏମିତି ନେହୁରା ହୋଇ ହୋଇ ଥକିଗଲାଣି ଶିଳ୍ପ ସଂଘ । କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖି ଲେଖି ନିରାଶ । ଶେଷରେ ବାଧ୍ୟ ହୋଇ କୋଇଲା ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ହାତ ଯୋଡ଼ି ଗୁହାରୀ କରିଛନ୍ତି ରାଜ୍ୟ ଶିଳ୍ପ ସଂଘ ଓ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ । ରାଜ୍ୟକୁ ପୁଞ୍ଜି ନିବେଶର ସୁଅ ଛୁଟୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଆଲୁମିନିୟମ, ସ୍ପଞ୍ଜ ଆଇରନ୍ ଓ କୋଇଲା ଉପରେ ନିର୍ଭରଶୀଳ ଏମ୍ଏସ୍ଏମ୍ଇ ଶିଳ୍ପ ଏବେ ହାତ ବାନ୍ଧି ବସିଲେଣି । ରାଜ୍ୟରେ ବାର୍ଷିକ ୯୫ ମିଲିୟନ୍ ଟନ୍ କୋଇଲା ଆବଶ୍ୟକ । କିନ୍ତୁ ମିଳୁଛି ମାତ୍ର ୬୫ ମିଲିୟନ୍ ଟନ୍ । କୋଲ୍ ଇଣ୍ଡିଆ ରିପୋର୍ଟ କହୁଛି ଗତ ଏପ୍ରିଲରୁ ଜୁଲାଇ ଭିତରେ କୋଇଲା ଉତ୍ପାଦନ ୨୪ ପ୍ରତିଶତ ବଢ଼ିଛି । ଅଥଚ ଅଣଶକ୍ତି ଉତ୍ପାଦନ ୟୁନିଟକୁ ୨୩ ପ୍ରତିଶତ କମ୍ କୋଇଲା ଯୋଗାଣ ହୋଇଛି । ବାରମ୍ବାର କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି ।

ପ୍ରାଚୁର୍ଯ୍ୟ ଭିତରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର । ସାରା ଦେଶରେ ଯେତିକି କୋଇଲା ଗଚ୍ଛିତ ଅଛି କେବଳ ୨୫ ପ୍ରତିଶତ ଓଡ଼ିଶାରେ ରହିଛି । ଶକ୍ତି ଉତ୍ପାଦନ ୟୁନିଟରୁ ପର୍ଯ୍ୟାପ୍ତ କୋଇଲା ମିଳୁଥିବା ବେଳେ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ କେନ୍ଦ୍ର ଆବଶ୍ୟକ କୋଇଲା ନମିଳିବା ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଏମ୍ଏସ୍ଏମ୍ଇ ଶିଳ୍ପ କିପରି ବିକାଶ କରିବ ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । କିନ୍ତୁ କେନ୍ଦ୍ରର ଅବିଚାର ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ତୃତୀୟ ମେକଇନ ଓଡ଼ିଶା କନକ୍ଲେଭ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୁବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ପୁଞ୍ଜିପତି ସମ୍ମିଳନୀ କରୁଛନ୍ତି । ଏଭଳି ସ୍ଥିତିରେ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ନହେଲେ ପୁଞ୍ଜି ନିବେଶ ଲକ୍ଷ୍ୟ ପୂରଣ ହୋଇପାରିବ ତ ?