ଡ୍ରାଇଭର ମହାସଂଘ ସହ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତଙ୍କୁ ୧୦ ଲକ୍ଷ ସହାୟତା, ୫୫ ବର୍ଷରୁ ଊର୍ଦ୍ଧ୍ବ ଡ୍ରାଇଭରଙ୍କୁ ପେନସନ ବ୍ୟବସ୍ଥାରେ ସାମିଲ କରିବା, ପିଲାଙ୍କୁ ଉଚ୍ଚଶିକ୍ଷା ସହ ସାମାଜିକ ସୁରକ୍ଷା ଯୋଗାଇ ଦେବା । ଡ୍ରାଇଭର ମହାସଂଘର ଏଭଳି ୧୧ ଦଫା ଦାବିକୁ ୩ ମାସ ମଧ୍ୟରେ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ସ୍ବତନ୍ତ୍ର କମିଟି ଗଠନ କରାଯିବ । ପରିବହନ, ଶ୍ରମ, ଅର୍ଥ ଓ ପୋଲିସ ବିଭାଗ ଅଧିକାରୀ କମିଟିରେ ରହି ମହାସଂଘର ଦାବି ପୂରଣ ପାଇଁ ଉଦ୍ୟମ କରିବେ । ଦେଶରେ ଓଡ଼ିଶାର ଡ୍ରାଇଭରଙ୍କୁ କିପରି ସର୍ବଶ୍ରେଷ୍ଠ ସୁବିଧା ଯୋଗାଇ ଦିଆଯିବ, ସେନେଇ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରିବ । ସେଠାକାର ବ୍ୟବସ୍ଥାର ତର୍ଜମା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି । ମହାସଂଘର ଦାବି ଅନୁସାରେ ରାଜ୍ୟ ସରକାର ପ୍ରଥମ ପଦକ୍ଷେପ ଭାବେ ଡ୍ରାଇଭରଙ୍କୁ ହଇରାଣ ହରକତ ନକରିବାକୁ ସବୁ ଜିଲ୍ଲାର ଏସପିଙ୍କୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲା ସଂଘ । ଆଲୋଚନାରେ ମନ୍ତ୍ରୀ ସୁଶାନ୍ତ ସିଂହ, କଟକ ମେୟର ସୁବାସ ସିଂହ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସେପଟେ ହଜାର ହଜାର ଡ୍ରାଇଭର ରାଜଧାନୀରେ ବିକ୍ଷୋଭ କରିଥିଲେ  । ୧୧ ଦଫା ଦାବି ନେଇ ଲୋକସେବା ଭବନ ଅଭିମୁଖେ ଗସ୍ତ କରିଥିଲେ  । ମାଷ୍ଟରକ୍ୟାଟିନରେ ଏକତ୍ର ହୋଇଥିଲେ ସମସ୍ତ ଡ୍ରାଇଭର  । ପରବର୍ତ୍ତୀ ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶ୍ରମମନ୍ତ୍ରୀ ସୁସାନ୍ତ ସିଂ ପ୍ରମୁଖ ଡ୍ରାଇଭର ମହାସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ପାଇଁ କମିଟି ଗଠନ ହେବ ।  ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ ସଂଗ୍ରହ କରିବ । ଏହାସହ କମିଟି ସୁପାରିସ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ୩ ମାସରେ ତାହା କାର୍ଯ୍ୟକ୍ଷମ ହେବ । ସେହିପରି ଗାଡ଼ି ଚାଳକଙ୍କୁ ଯେପରି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବ ନାହିଁ ସେଥିପାଇଁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଲେଖିଛନ୍ତି ଆଇନଶୃଙ୍ଖଳା ଏଡିଜି ।

୩ ମାସ ଭିତରେ ବିଭିନ୍ନ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରାଯିବ । ଏହାସହ ଡ୍ରାଇଭରଙ୍କ ଦାବି ଉପରେ ଉଚିତ ପଦକ୍ଷେପ ନିଆଯିବ । ୩ ମାସ ମଧ୍ୟରେ ଦାବି ଉପରେ ନିଆଯିବ ଉଚିତ ପଦକ୍ଷେପ । ୧୧ ଦଫା ଦାବି ନେଇ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ, ଡ୍ରାଇଭରଙ୍କ ଉଚିତ୍ ଦାବିକୁ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।