ହକି ଓଡ଼ିଶାକୁ ଦେଇଛି ଅନ୍ତର୍ଜାତୀୟ ଖ୍ୟାତି

1 min read
ବିମଳ କୁମାର ରାଉଳ

କ୍ରୀଡ଼ା ସୁସ୍ଥ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଯେଉଁ ଜାତି ଯେତିକି ସୁସ୍ଥ, ସେ ଜାତି ସେତିକି ଆଗୁଆ। କ୍ରୀଡ଼ା ଯେ କେବଳ ପ୍ରତିଦ୍ୱନ୍ଦ୍ୱିତା ଭାବନା ବୃଦ୍ଧିକରେ ତାହା ନୁହଁ, ଜୀବନକୁ ଶୃଙ୍ଖଳିତ କରେ। ଶୃଙ୍ଖଳିତ ମଣିଷ ହିଁ ସଫଳତାର ଅଧିକାରୀ ହୁଏ। ଯୁବ ପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ଜିତିଲେ କ୍ରୀଡ଼ାବିତଙ୍କୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ସହ ସରକାରୀ ଚାକିରୀ ପ୍ରଦାନ କରାଯାଉଛି।

ପ୍ରାୟ ଏକ ଦଶନ୍ଧି ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ‘ସ୍ପୋର୍ଟ୍ସ ଫର ୟୁଥ୍‌’,’ୟୁଥ୍ ଫର ଫ୍ୟୁଚର’ ଲକ୍ଷ୍ୟ ନେଇ ରାଜ୍ୟରେ ନୂଆ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ, ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବଂ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେଇ ରାଜ୍ୟ ତଥା ଦେଶରେ କ୍ରୀଡ଼ାର ବିକାଶରେ ଅଗ୍ରଣୀ ଭୂମିକା ନେଇଛନ୍ତି।

ଜାତୀୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖେର ଦୁଇ ଦଳର କ୍ୟାପଟେନ୍ ।

୨୦୧୭ ମସିହାରୁ ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହି ଆସିଛି ଓଡ଼ିଶା। ଦଳକୁ ଏହାର ସୁଫଳ ମିଳିଲା ଗତ ଟୋକିଓ ଅଲିମ୍ପିକ୍ସରେ। ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ଅଲିମ୍ପିକ୍ସ ପଦକ ଜିତିବାର ସୌଭାଗ୍ୟ ଲାଭ କଲା, ଆଉ ଏହାର ସବୁ ଶ୍ରେୟ ଓଡ଼ିଶାକୁ ମିଳିଲା। ବିଗତ ସାତରୁ ଆଠ ବର୍ଷ ହେବ ଓଡ଼ିଶାର ଗୌରବମୟ ପରିଚୟରେ ହକି ଏକ ନୂଆ ଫର୍ଦ୍ଦ ଭାବେ ଯୋଡ଼ି ହୋଇଛି।

୧୯୮୦ ପରବର୍ତ୍ତୀ ସମୟରେ ପ୍ରଚାର ପ୍ରସାର ଅଭାବରୁ ଭାରତୀୟ ହକି ତାର ଅସ୍ଥିତ୍ୱ ହରାଇ ବସିଥିଲା। ଏକଦା ଅଲିମ୍ପିକ୍ସରେ ଯେଉଁ ଦଳ କ୍ରମାନ୍ୱୟରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲା, ୨୦୦୮ରେ ସେହି ଦଳ ଯୋଗ୍ୟତା ହାସଲରୁ ବଞ୍ଚିତ ହେଲା। ‘ହକି ଇଣ୍ଡିଆ’ ଦେଶରେ ହକିର  ପ୍ରସାର ପାଇଁ ପୃଷ୍ଠପୋଷକ ଓ ପ୍ରୋତ୍ସାହନ ଯୋଗାଡ଼ରେ ଲାଗି ରହିଥିଲା। ଏତିକି ବେଳେ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ଗଢ଼ି ଉଠିଥିଲା।

 

ଇଂରେଜ ମାନେ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ହକିର ଉନ୍ମେଷ ଘଟିଥିଲା। ବିଶେଷ କରି ମିଶନାରୀ ମାନଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା। ସମୟ କ୍ରମେ ହକି ଆଦିବାସୀ ମାନଙ୍କର ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇଲା। ଧୀରେ ଧୀରେ ଏହାକୁ ନେଇ ପ୍ରତିଯୋଗିତା ଆୟୋଜିତ ହେଲା। ଏହି ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇଲା ସ୍ୱତନ୍ତ୍ର ଖାସି କପ୍‌ ଟୁର୍ଣ୍ଣାମେଣ୍ଟ। ପ୍ରତିବର୍ଷ ସୁନ୍ଦରଗଡ଼ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଖାସି କପ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ।

ଓଡ଼ିଶାର ହକି କହିଲେ ସୁନ୍ଦରଗଡ଼କୁ ହିଁ ବୁଝାଏ। ଆଦିବାସୀଙ୍କର ଏହି ହକି ନୈପୁଣ୍ୟତାକୁ ବିଶ୍ୱମୁଖୀ କରାଇବା ପାଇଁ ଓଡ଼ିଶା ସରକାର ପ୍ରଥମେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟମାନର ହକି ଷ୍ଟାଡିୟମ ନିର୍ମାଣ କଲେ ।  ୨୦୧୩ ମଧ୍ୟଭାଗ ବେଳକୁ ଦୁଇ ଗ୍ୟାଲେରୀ ବିଶିଷ୍ଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା। ହକି ଇଣ୍ଡିଆର ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ରେ ଏକ ଦଳ କ୍ରୟ କଲେ। ତାହାର ନାମ ଥିଲା ‘କଳିଙ୍ଗ ଲାନସର୍ସ’। ୨୦୧୩ରେ ଏହି ଦଳ ଗଠନ ହୋଇ ୨୦୧୪ ସଂସ୍କରଣରେ ପଦାର୍ପଣ କରିଥିଲା ।କଳିଙ୍ଗ ଷ୍ଟାଡିୟମରେ ‘କଳିଙ୍ଗ ଲାନସର୍ସ’ ପାଞ୍ଚଟି ଘରୋଇ ମ୍ୟାଚ୍‌ ଖେଳିଲା । ହକି ମ୍ୟାଚ୍ ଦେଖିବା ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ବୃଦ୍ଧି ହୋଇଥିଲା । ଏଚ୍‌ଆଇଏଲରେ କେବଳ ଭୁବନେଶ୍ୱର ଭେନ୍ୟୁରେ ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାଡିୟମ ଭର୍ତ୍ତି ଦର୍ଶକ ବସି ମ୍ୟାଚ୍ ଦେଖିଲେ।

Tight Security In Bhubaneswar For Hockey Men's Junior World Cup
Tight Security In Bhubaneswar For Hockey Men’s Junior World Cup

ଓଡ଼ିଶାବାସୀଙ୍କ ହକି ପ୍ରତି ଏତେ ଭଲ ପାଇବା ଦେଖି ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ‘ହକି ଚାମ୍ପିଅନ୍ସ ଟ୍ରଫି’ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲେ। ଯେଉଁ ପ୍ରସ୍ତାବକୁ ଗ୍ରହଣ କରିଥିଲେ ରାଜ୍ୟସରକାର । ୨୦୧୪ ଡିସେମ୍ବର ମାସରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଲା। ପାକିସ୍ତାନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଲେ । ପ୍ରତି ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ କୋଳାହଳରେ କଳିଙ୍ଗ ଷ୍ଟାଡିୟମର ଆକାଶ ଫାଟି ପଡ଼ିଲା। ଚାମ୍ପିଅନ୍ସ  ଟ୍ରଫି ଆୟୋଜନ ଅଦ୍ଭୁତପୂର୍ବ ସଫଳତା ହାସଲ କଲା। ଏହା ପୂର୍ବରୁ ବିଶ୍ୱର କୌଣସି ହକି ଷ୍ଟାଡିୟମରେଏତେ ଦର୍ଶକ ଦେଖିବାକୁ ମିଳିନଥିଲେ। ସାରା ବିଶ୍ୱରେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା। ଏହି କ୍ରମରେ ହକି ଇଣ୍ଡିଆ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ଆୟୋଜନ ନେଇ ପ୍ରସ୍ତାବ ରଖିଲା। ଏଭଳି ସୁଯୋଗକୁ ରାଜ୍ୟ ସରକାର ହାତଛଡ଼ା କଲେ ନାହିଁ। ଭୁବନେଶ୍ୱର ବିଶ୍ୱକପ୍‌ ଭେନ୍ୟୁ ଘୋଷଣା ହେବା ପରଠୁ ଷ୍ଟାଡିୟମର କଳେବର ବୃଦ୍ଧି ହେଲା। ଆଉ ଦୁଇଟି ନୂଆ ଗ୍ୟାଲେରୀ ସହ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୬ ହଜାରକୁ ବୃଦ୍ଧି କରାଗଲା। ୨୦୧୭ ସୁଦ୍ଧା ଷ୍ଟାଡିୟମର କାର୍ଯ୍ୟ ସଂପୂର୍ଣ୍ଣ ହେଲା। ସେହି ବର୍ଷ ଡିସେମ୍ବର ମାସରେ ‘ହକି ବିଶ୍ୱଲିଗ୍‌’ ସଫଳତାର ସହ ଆୟୋଜିତ ହେଲା। ଏହା ପୂର୍ବରୁ ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ ହକି ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା। ଚୁକ୍ତି ଅନୁସାରେ, ଓଡ଼ିଶା ଭାରତୀୟ ହକି ଦଳର ପାଞ୍ଚ ବର୍ଷ ପାଇଁ ପ୍ରାୟୋଜକ ରହିବ। ରାଜ୍ୟ ତଥା ଦେଶର ହକିର ବିକାଶ ପାଇଁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା।

ହକି ବିଶ୍ୱକପ୍‌-୨୦୧୮ ଆୟୋଜନ ବିଶ୍ୱକପ୍ ଆୟୋଜନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ହକି ଇତିହାସରେ ପୂର୍ବରୁ କେବେ ଏମିତି ଆୟୋଜନ ବିଶ୍ୱବାସୀ ଦେଖି ନଥିଲେ। ଯାହା ସମସ୍ତଙ୍କୁ ଚକିତ କଲା। ସାରା ବିଶ୍ୱରେ ଓଡ଼ିଶାର ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ୨୦୧୯ରେ ହକି ସିରିଜ ଫାଇନାଲ୍ସ, ପୁରୁଷ ଓ ମହିଳା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ରେ ହକି ପ୍ରୋଲିଗ୍‌ ଏବଂ ୨୦୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱରରେ ଖେଳାଗଲା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିତା ଏବଂ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତି କରାଇବାର ଦୃଢ଼ ଇଚ୍ଛାଶକ୍ତି ଓଡ଼ିଶାକୁ ନୂଆ ପରିଚୟ ଦେଲା ।

ଓଡ଼ିଶା ଏବେ ଭାରତୀୟ ହକିର ନୂଆ ଠିକଣା ଭାବେ ଉଭା ହୋଇଛି। ସୁନ୍ଦରଗଡ଼ ହକିର ଐତିହ୍ୟ ଓ ସଂସ୍କୃତି ସାରା ବିଶ୍ୱରେ ପହଞ୍ଚି ପାରିଛି। କଳିଙ୍ଗ ଷ୍ଟାଡିୟମ ବିଶ୍ୱକ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଏହା ହକି ଖେଳୁଥିବା ପ୍ରତ୍ୟେକ ଦେଶର ଖେଳାଳିଙ୍କ ସ୍ୱପ୍ନର ଷ୍ଟାଡିୟମ ଭାବେ ଖ୍ୟାତି ଲାଭ କରିଛି। ହକି ପ୍ରତିଟି ଓଡ଼ିଆର ସ୍ପନ୍ଦନ ହୋଇ ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି।

୨୦୧୭ ଠାରୁ ଭାରତୀୟ ହକି ଦଳ (ପୁରୁଷ, ମହିଳା) ଓଡ଼ିଶା ନାମଲେଖା ଜର୍ସି ପରିଧାନ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି। ଜାତୀୟ ହକିକୁ ଓଡ଼ିଶା ପ୍ରୋତ୍ସାହନ ଯୋଗାଇ ଦେବାର ଫଳ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଥିଲା । ଦୀର୍ଘ ଚାରି ଦଶନ୍ଧି ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିପାରିଥିଲା। ସେମିତି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି (ଚତୁର୍ଥ) ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।

ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାର ଶ୍ରେୟ ଓଡ଼ିଶାବାସୀକୁ ମିଳିଥିଲା । ସାରା ଦେଶ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଜସ୍ର ପ୍ରଶଂସା କରିଥିଲା । ସମୟ ଆସିଲା, ଜାତୀୟସ୍ତରରେ ଓଡ଼ିଶା ଚର୍ଚ୍ଚାର ଶିରୋନାମା ପାଲଟିଲା; ତାହା ପୂର୍ବର ସେହି କାଳିମାମୟ ଘଟଣାବଳୀ ପାଇଁ ନୁହଁ ବରଂ ହକିର ବିଜୟ ଯାତ୍ରା ପାଇଁ। ହକି ଦଳର ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ଆଉ ଦଶ ବର୍ଷ ଭାରତୀୟ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।

ବିଶ୍ୱରେ ହକି ଖେଳୁଥିବା ପ୍ରତିଟି ଦେଶ ଓଡ଼ିଶାକୁ ଜାଣିଛି ଏବଂ ଓଡ଼ିଶାର ଆତିଥ୍ୟରେ ପ୍ରୀତ ହୋଇଛି। ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଦ୍ଭୁତ ପୂର୍ବ ବିକାଶ ଘଟିଛି। ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି। କଳିଙ୍ଗ ହକି ଷ୍ଟାଡିୟମ ପରେ ରାଉରକେଲାରେ ଏକ ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ  ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ସୁନ୍ଦରଗଡ଼ରେ ତୃଣମୂଳସ୍ତରରୁ ହକିର ଆଧୁନିକୀକରଣ ପାଇଁ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ବିଛାଯିବା ନେଇ ଯୋଜନା କରାଯାଇଛି।

ହକିର ପ୍ରଚାର ପ୍ରସାର କରି ଓଡ଼ିଶା ସାରା ଦେଶରେ ଖ୍ୟାତି ଅର୍ଜନ କରିବା ସହ ଭାରତୀୟ ହକିର ପୁନଃରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ବଡ଼ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟରେ ଦେଶର ବିଭିନ୍ନ ରାଜ୍ୟରୁ ଭୁବନେଶ୍ୱର ଆସୁଥିବା ସାମ୍ବାଦିକମାନେ ଓଡ଼ିଶାର ଭିତ୍ତିଭୂମି ଓ ଆୟୋଜନକୁ ଭୂୟସୀ ପ୍ରଶଂସା କରନ୍ତି । କେବଳ ହକି ନୁହଁ, ଦେଶର ଅନ୍ୟ କ୍ରୀଡ଼ାର ବିକାଶ ନେଇ ମଧ୍ୟ ଆମ ରାଜ୍ୟ ସହଯୋଗ ଜାରି ରଖିଛି। ଦେଶର କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ‘ବ୍ରାଣ୍ଡ୍‌’ ଭାବେ ଉଭା ହୋଇଛି ।

ନିକଟରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା। ପୁଣି ୨୦୨୩ରେ ପୁରୁଷ ହକି ବିଶ୍ୱକପ୍‌ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ଖେଳାଯିବ ହକି ବିଶ୍ୱକପ୍। ଦିନେ ଏହା ଅବାସ୍ତବ ମନେ ହେଉଥିଲେବି ତାହାକୁ ବାସ୍ତବ କରି ଦେଖାଇଛନ୍ତି ଆମ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଚାଲିଥିବା ହକିର ବିକାଶ ପର୍ବ ଓଡ଼ିଶାକୁ ଆଣି ଦେଇଛି ଅନ୍ତର୍ଜାତୀୟ ଖ୍ୟାତି।

Leave a Reply