ବାର୍ଦ୍ଧକ୍ୟରୁ ମୁକ୍ତି, ମିଳିବ ଚିର ଯୌବନ ପ୍ରାପ୍ତି !

1 min read

 ନନ୍ଦିଘୋଷ ବ୍ୟୁରୋ: ମଣିଷକୁ ବାର୍ଦ୍ଧକ୍ୟ ଗ୍ରାସିବା ପରେ ସବୁ କିଛି ବଦଳିଯାଏ । ବିଭିନ୍ନ ରୋଗ ମାଡ଼ିବସିବା ସହ ଚର୍ମ, ଶିରାପ୍ରଶିରା ଲୋଚାକୋଚା ହୋଇଯାଏ । ପାହୁଣ୍ଡେ ଚାଲିବାକୁ ମଧ୍ୟ ଗୋଡ଼ ସାଥ୍ ଦିଏନାହିଁ । ମଣିଷ ଜୀବନରେ ଯଦି ଏଭଳି ନ ଘଟନ୍ତା, କେତେ ଭଲ ହୁଅନ୍ତା ସତରେ ! ତେବେ ଏହି ପୁରୁଣା ଅଭିଳାଷକୁ ସତ୍ୟରେ ପରିଣତ ପାଇଁ ପୁଣି ଆରମ୍ଭ ହୋଇଛି ମିଶନ । ଯଦି ଏହି ମିଶନ ସଫଳ ହୁଏ ତେବେ ମଣିଷ ଚିର ଯୌବନ ପ୍ରାପ୍ତି ହେବ, ବାର୍ଦ୍ଧକ୍ୟ ପାଖ ମାଡ଼ିବ ନାହିଁ । ଅସ୍ୱାଭାବିକ ଭାବେ ମଣିଷ ଦୀର୍ଘାୟୁ ହେବ । ଆମେରିକାର ବିଖ୍ୟାତ କ୍ରିପ୍ଟୋ ଅରବପତି ବ୍ରାଏନ୍ ଆର୍ମଷ୍ଟ୍ରଙ୍ଗ୍ ଓ ବାୟୋଇଞ୍ଜିନିୟର୍ ତଥା ଟେକ୍ନୋଲୋଜି ନିବେଶକ ବ୍ଲେକ୍ ବାୟର୍ସ ଏଭଳି ଏକ ବଡ଼ ମିଶନ ନେଇ ଆଗକୁ ବଢ଼ିଛନ୍ତି । ନ୍ୟୁଲିମିଟ ନାମରେ ଏକ ଷ୍ଟାର୍ଟଅପ୍ ଗଢ଼ି ମିଶନ ଉପରେ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଯେତେ ଖର୍ଚ୍ଚ କରିବାକୁ ପଡ଼ିଲେ ବି ସେମାନେ ପଛାଇବେ ନାହିଁ ବୋଲି ଦୃଢ଼ସଂକଳ୍ପ ନେଇଛନ୍ତି । ପୂର୍ବରୁ ବିଶିଷ୍ଟ ଅରବପତି ତଥା ଆମାଜନ୍ ପ୍ରତିଷ୍ଠାନା ଜେଫ୍ ବେଜୋସ୍ ଏହି କ୍ଷେତ୍ରରେ ମନ ବଳାଇଥିଲେ । ବାର୍ଦ୍ଧକ୍ୟ ଦୂରୀକରଣ ପାଇଁ ଗଠିତ ସଂସ୍ଥା ‘ଅଲଟୋସଲାବସ’ରେ ବିପୁଳ ନିବେଶ କରିଥିଲେ । ଏବେ ପୁଣି ଜଣେ ପ୍ରମୁଖ ଅରବପତି ଓ ବାୟୋ-ଇଞ୍ଜିନିୟର୍ ବଡ଼ ଲକ୍ଷ୍ୟ ନେଇ ଏ କ୍ଷେତ୍ରରେ ପାଦ ଥାପିଛନ୍ତି ।

ନ୍ୟୁଲିମିଟ୍ ଷ୍ଟାର୍ଟଅପରେ ବର୍ତ୍ତମାନ ଦୁର୍ବଳ ଶରୀରରେ ସ୍ୱଳ୍ପ ବୟସର କୋଷଗୁଡ଼ିକୁ ସ୍ଥାନିତ ପାଇଁ ଗବେଷଣା କରାଯାଉଛି । ଏମିତି କି ଜଣେ ବୃଦ୍ଧ ଲୋକର ମନକୁ ମଧ୍ୟ ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଛି । କ୍ରିପ୍ଟୋକରେନ୍ସି ‘କଏନ୍ବେସ୍’ର ସିଇଓ ଆର୍ମଷ୍ଟ୍ରଙ୍ଗ୍ ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିସିଟିରୁ ପିଏଚ୍ଡି ହାସଲ କରିଥିବା ବାୟର୍ସ ନିଜ ଗବେଷଣାରେ ଆୟୁଷ ବୃଦ୍ଧି ତୁଳନାରେ ସ୍ୱାସ୍ଥ୍ୟଗତ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ଯୁକ୍ତି ମଣିଷ ଯେତେ ବର୍ଷ ବଞ୍ଚୁ ପଛେ ସ୍ୱାସ୍ଥ୍ୟ ଭଲ ରହୁ । କୌଣସି ପ୍ରକାର ଦୁରାରୋଗ ଶରୀରକୁ ମାଡ଼ି ନବସୁ । ବୟସାଧିକ୍ୟ ଯୋଗୁ ଆସୁଥିବା ଶାରୀରିକ ପରିବର୍ତ୍ତନକୁ ସେମାନେ ମାତ୍ ଦେବା ଉପରେ ଫୋକସ୍ ଦେଉଛନ୍ତି । ସେମାନେ କହିଛନ୍ତି ଯେ ବୟସ ବଢ଼ିବା ସହିତ ଶାରୀରିକ ଯନ୍ତ୍ରଣା ବଢ଼ିବା ଆରମ୍ଭ କରିଦିଏ । ୩୦ ବର୍ଷ ବୟସ ମଧ୍ୟରେ ବେଶ୍ ଫୁର୍ତ୍ତି ଅନୁଭୂତ ହୁଏ । ଏହାପରେ ଧୀରେ ଧୀରେ ଶରୀର ବଦଳିବାକୁ ଆରମ୍ଭ କରିଥାଏ । ନ୍ୟୁଲିମିଟ୍ ଷ୍ଟାର୍ଟଅପ୍ ଏହି ଶାରୀରିକ ପରିବର୍ତ୍ତନକୁ ସଙ୍କୁଚିତ ଅଥବା ମୂଳୋତ୍ପାଟନ ଉପରେ କାର୍ଯ୍ୟ କରିବ ।

ନ୍ୟୁଲିମିଟର ଯୋଜନାରେ ଏପିଜେନେଟିକ୍ ରିପ୍ରୋଗ୍ରାମିଙ୍ଗ ଉପରେ ଫୋକସ୍ କରାଯାଇଛି । ସ୍ୱଳ୍ପ ବୟସରେ ଥିବା ପୁନଃଉତ୍ପାଦନ କ୍ଷମତାକୁ ବାର୍ଦ୍ଧକ୍ୟ ସମୟରେ ଫେରାଇ ଆଣିବା ଲାଗି କମ୍ପାନି ଲକ୍ଷ୍ୟ ରଖିଛି । ବୟସ ବଢ଼ିବା ପରେ ଲୋକଙ୍କର ପ୍ରତିରୋଧକ କ୍ଷମତା କାହିଁକି ହ୍ରାସ ପାଉଛି, ତାହା ଜାଣିବା ଉପରେ ଗୁରୁତ୍ୱ ଦିଆଯିବ । ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ବୁଝିବା ସକାଶେ ମେସିନ୍ ଲର୍ଣ୍ଣିଙ୍ଗ୍ ମଡେଲ୍ ବିକାଶ କରିବା ଲାଗି ଏହି ପ୍ରୋଗ୍ରାମିଙ୍ଗର ପ୍ରଥମ ପଦକ୍ଷେପ ହେବ ବୋଲି କୁହାଯାଇଛି । ନ୍ୟୁଲିମିଟର ପ୍ରତିଷ୍ଠାତା ଆହୁରି କହିଛନ୍ତି, ଯେ କୌଣସି ମିଶନ ସଫଳ ହେଲେ, ତାହା ପ୍ରଥମେ ବିପୁଳ ଦାମରେ ଉପଲବ୍ଧ ହୋଇଥାଏ । ନ୍ୟୁଲିମିଟ୍ କ୍ଷେତ୍ରରେ ମଧ୍ୟ ସମାନ ଘଟିବ । କିନ୍ତୁ ପରମୁହୂର୍ତ୍ତରେ ଏହା ସମସ୍ତଙ୍କ ପାଇଁ ସୁଲଭ ଦରରେ ଉପଲବ୍ଧ କରାଯିବ । ତେବେ ଏଭଳି ଉତ୍ପାଦ ଦର କମିବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିଯାଏ । କିନ୍ତୁ ଆମେ ଏକ ସ୍ୱଳ୍ପ ଅବଧି ମଧ୍ୟରେ ଏହାକୁ ସୁଲଭ କରାଇବା ଉପରେ ଫୋକସ୍ କରିବୁ । ତେବେ ନ୍ୟୁଲିମିଟ୍ ବର୍ତ୍ତମାନ ଶୈଶବ ଅବସ୍ଥାରେ ରହିଛି । ଏହାର ପ୍ରତିଷ୍ଠାତା ଟିମ୍ ଏ ପର୍ଯ୍ୟନ୍ତ ଗଠନ ହୋଇନାହିଁ ।

୨୦୦୬ରେ ବାର୍ଦ୍ଧକ୍ୟ ନିରାକରଣ ପ୍ରସଙ୍ଗରେ ଏକ ନୋବେଲ ପୁରସ୍କାରପ୍ରାପ୍ତ ଗବେଷଣା ପ୍ରକାଶ ପାଇଥିଲା । ଏଥିରେ ୪ଟି ପ୍ରମୁଖ ପ୍ରୋଟିନ୍ ଉପରେ ବର୍ଣ୍ଣନା କରାଯାଇଥିଲା । ବୁଢ଼ା ହୋଇଯାଇଥିବା କୋଷଗୁଡ଼ିକୁ ଅପରିପକ୍ୱ କୋଷରେ ରିପ୍ରୋଗ୍ରାମ୍ କରି ଷ୍ଟେମ୍ ସେଲ୍ ସୃଷ୍ଟି ନିମନ୍ତେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ନ୍ୟୁଲିମିଟ୍ ବୟସ ସଂକ୍ରାନ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ଲାଘବ କରି ବୃଦ୍ଧାବସ୍ଥା ବେଳେ ଯୌବନାବସ୍ଥା ଗୁଣାବଳିକୁ ଫେରାଇ ଆଣିବା ସକାଶେ ଏହାକୁ ବ୍ୟବହାର କରିବ ବୋଲି ଆଶା ରଖିଛି । ଏହି କ୍ଷେତ୍ରରେ ସଫଳତା ପାଇବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିପାରେ । ତଥାପି ନ୍ୟୁଲିମିଟ୍ ପ୍ରତିଷ୍ଠାତାମାନେ ଏହି ପ୍ରକଳ୍ପ ଉପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବ ନ୍ୟୁଲିମିଟ୍ର ଏହି ପ୍ରୟାସ ଯଦି ସଫଳ ହୁଏ, ତା’ହେଲେ ମଣିଷ ନିଜ ବାର୍ଦ୍ଧକ୍ୟ ସମୟରେ ବି ସୁସ୍ଥ ଓ ସୁଖମୟ ଜୀବନ ବଞ୍ଚିପାରିବ ବୋଲି ଆର୍ମଷ୍ଟ୍ରଙ୍ଗ୍ ଓ ବାୟର୍ସ କହିଛନ୍ତି ।

ଏହି ଭିଡିଓ ଯଦି ଆପଣଙ୍କୁ ପସନ୍ଦ ଆସିଛି ତେବେ ଆମ ପେଜକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ । ଭିଡିଓକୁ ନେଇ ଆପଣଙ୍କ ମତାମତ କମେଣ୍ଟ୍ ବକ୍ସରେ ଦିଅନ୍ତୁ । ଏହା ସହିତ ଆପଣ କେଉଁଭଳି ଭିଡିଓ ଦେଖିବାକୁ ଚାହାନ୍ତି କମେଣ୍ଟ୍ କରି ଆମକୁ ଜଣାନ୍ତୁ । ଖବର ଅପଡେଟ୍ ପାଇଁ ଆମ ୱେବସାଇଟ୍ ନନ୍ଦିଘୋଷଟିଭି ଡଟ୍ କମକୁ ଭିଜିଟ୍ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply