ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ବାଳ

ଭୁବନେଶ୍ବର: ମେଡିସିନରୁ ମ୍ୟୁଜିକ। ଯେଉଁ ହାତ ଷ୍ଟେଥୋ ଧରି ଛୁଆଙ୍କର ହାର୍ଟବିଟ ମାପୁଛି ସେହି ହାତ ଗୀଟାର ଧରି ସଂଗୀତର ଧୁନରେ ମତୁଆଲା କରୁଛି। ମେଡିକାଲ ଓ୍ବାର୍ଡରେ ଔଷଧ ଦେଇ ରୋଗ ଭଲ କରୁଥିବା ମଣିଷଟି ବୃତ୍ତିର ଆଢୁଆଳରେ ସଂଗୀତର ସଞ୍ଜୀବନୀ ବାଣ୍ଟୁଛି। ଆମେ କହୁଛୁ ଏମବିବିଏସ ଡାକ୍ତର ରୋହନ ବିଶ୍ବାଳଙ୍କ କଥା । ସେବା, ସୁର, ଲୟ, ତାଳର ଏକ ସୁମଧୁର ସମ୍ମିଶ୍ରଣ ରୋହନ । ରୋହନଙ୍କ ସେବାର ସାରେଗାମାପାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା । ଭୁବନେଶ୍ବରରେ ଏମବିବିଏସ ଡାକ୍ତର ଭାବେ କାର୍ଯ୍ୟରତ ରୋହନ ଏବେ ଇଣ୍ଡିଆନ ଆଇଡଲର ଆଇଡଲ୍ । ୧୪ ତମ ଇଣ୍ଡିଆନ ଆଇଡଲ ପ୍ଲାଟଫର୍ମରେ ଚମକିଛନ୍ତି ଏହି ଓଡ଼ିଆ ପୁଅ ।

ଅଡିସନରେ ଗୋଲ୍ଡେନ ଟିକେଟ ହାତେଇ ଥିଏଟର ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆଉ ବନିଯାଇଛନ୍ତି ଡାକ୍ତର ସିଙ୍ଗର୍ । ଜଣେ ଡାକ୍ତରଙ୍କ ଏଭଳି ସଂଗୀତ ପ୍ରେମ ଦେଖି ଖୋଦ ବଲିଉଡ ସିଙ୍ଗର ତଥା ଇଣ୍ଡିଆନ ଆଇଡଲର ଜଜ୍ ସାନୁ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାଁନ୍ତି  । ଏପରିକି ଭିଡିଓ କଲ୍ କରି ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା କୁନିକୁନି ପିଲାଙ୍କ ସହିତ କଥା ହୋଇ ସେମାନଙ୍କୁ ଗୀତ ଗାଇ ଶୁଣାଇଛନ୍ତି ସାନୁ । ବିଭିନ୍ନ ବୃତ୍ତିରେ ଥିବା ଅନେକ ଲୋକଙ୍କର ସଂଗୀତ ପ୍ରତି ଦୁର୍ବଳତା ରହିଛି । ଅନେକ ସମୟରେ ଭିନ୍ନ ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ଇଣ୍ଡିଆନ ଆଇଡଲ ମଞ୍ଚରେ ଦେଖିବାକୁ ମିଳିଛି  ।

ହେଲେ ରୋହନଙ୍କ ପରି ଜଣେ ଏମବିବିଏସ ଡାକ୍ତରଙ୍କ ମ୍ୟୁଜିକ ପ୍ରେମ ଏବଂ ଇଣ୍ଡିଆନ ଆଇଡଲରେ ପହଞ୍ଚିବା ସମସ୍ତ ଜଜଙ୍କୁ ପ୍ରଭାବିତ କରିଛି  । ମେଡିସିନ ଏକ ଥେରାପି ଯାହା ଶରୀରର କ୍ଷତ ଭଲ କରିଥାଏ ।  ସଂଗୀତ ମଧ୍ୟ ଆଉ ଏକ ଥେରାପି ଯାହା ମଣିଷର ମାନସିକ କ୍ଷତକୁ ଉପଷମ କରିଥାଏ  ।  ଏହି ଥେରାପିକୁ ଆୟତ୍ତ କରି ସେବା ଓ ସଂଗୀତ ପ୍ରତି ନିଜର ଭଲପାଇବା ଓ ଦୁର୍ବଳତାକୁ ପ୍ରତିପାଦିତ କରିଛନ୍ତି ରୋହନ  । ଢେଙ୍କାନାଳରେ ରୋହନଙ୍କ ଘର  । ପିଲାଟି ଦିନରୁ ସେ ସଂଗୀତ ଶିକ୍ଷା କରୁଥିଲେ  । ଅନେକ ସ୍ଥାନରେ ସଂଗୀତ ଗାଇ ପ୍ରଂଶସିତ ମଧ୍ୟ ହୋଇଛନ୍ତି  । ଏବେ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପେଡିଏଟିକ୍ ହଲରେ କାମ କରୁଛନ୍ତି  । ଆଗକୁ ଉଭୟ ସେବା ଓ ସଂଗୀତର ଯାତ୍ରାରେ ସଫଳତାର ସହ ଆଗେଇଯିବାକୁ ସେ ଲକ୍ଷ୍ୟ ରଖିଛନ୍ତି  ।