ଅନୁମତି ନାହିଁ ତଥାପି ଚାଲିଛି ଜିରୋ ନାଇଟ୍ ପ୍ରସ୍ତୁତି

ପୁରୀ : ଅନୁମତି ବାତିଲ୍ ପରେ ବି ଜିରୋ ନାଇଟ୍ ସେଲିବ୍ରେସନ୍ ପ୍ରସ୍ତୁତି। ପୁରୀ ଲାଇଟ ହାଉସ ନିକଟ ବେଳାଭୂମିରେ ଜିରୋ ନାଇଟ ଆସର ପାଇଁ ଏକ ନିର୍ଦ୍ଦିଷ୍ଟ ଇଭେଣ୍ଟ କମ୍ପାନୀକୁ ଦିଆଯାଇଥିବା ଅନୁମତି ବାତିଲ କରିଥିବା ସତ୍ତ୍ୱେ ସେଲିବ୍ରେସନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏକ ନିର୍ଦ୍ଦିଷ୍ଟ ଇଭେଣ୍ଟ କମ୍ପାନୀ ପୁରୀ ପୌରସଂସ୍ଥାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମାଗିଥିଲା। ଅନୁମତି ପାଇବା ପରେ ପର୍ଯ୍ୟଟକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥିଲା ଇଭେଣ୍ଟ କମ୍ପାନୀ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ ଜିରୋ ନାଇଟରେ ଡିଜେ ଓ ସଂଗୀତ ପରିବେଷଣ ପାଇଁ ଆୟୋଜନ କରିଥିଲା ।

ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବି ହୋଇଥିଲା। ପରେ ପୌରସଂସ୍ଥା ପକ୍ଷରୁ ଇଭେଣ୍ଟ କମ୍ପାନୀକୁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଥିଲା। ଏହାସତ୍ତ୍ୱେ ସେଠାରେ କାର୍ଯ୍ୟକ୍ରମ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି। ଏପରିକି ଟିକେଟ ବିକ୍ରି ଏବେବି ଚାଲିଥିବା ବେଳେ ବେଳାଭୂମିରେ କାହିଁକି ଏପରି କାର୍ଯ୍ୟକ୍ରମ କରାଯାଉଛି ସେନେଇ ପ୍ରଶ୍ନ ଉଠିଛି ।