ନୋଏଡା ପୋଲିସର GK: ରାହୁଲ ଗାନ୍ଧିଙ୍କୁ ‘କଂଗ୍ରେସ ଅଧ୍ୟକ୍ଷ’ ଏବଂ ରବର୍ଟ ଭଦ୍ରାଙ୍କୁ ଲେଖିଲେ ‘ସ୍ତ୍ରୀ’

ଉତ୍ତର ପ୍ରଦେଶ: ହାଥରସ ମାମଲାକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରଦର୍ଶନ କରାଯାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମକର୍ତ୍ତା ମାନେ ଦିଲ୍ଲୀରୁ ହାଥରସ ଅଭିମୁଖେ ବାହାରିଥିଲେ । କିନ୍ତୁ ନୋଏଡା ପୋଲିସ ତାଙ୍କୁ ଅଧା ବାଟରେ ଅଟକାଇ ଦେଇଥିଲେ । ଅବଶ୍ୟ ପୋଲିସ ଉଭୟଙ୍କୁ ଅଟକ ରଖିବାର ଅଧଘଣ୍ଟା ପରେ ଛାଡ଼ିଦେଇଥିଲା । ପରେ ରାତିରେ ପୋଲିସ ପକ୍ଷରୁ ଏଫଆଇଆର ଦାଖଲ କରାଯାଇଥିଲା । ବର୍ତ୍ତମାନ ଏହି ଏଫଆଇଆରରେ ନୋଏଡା ପୋଲିସ କିଛି ଭୁଲ ସାମ୍ନାକୁ ଆସିଛି ।

ନୋଏଡା ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆରରେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ପ୍ରାୟ ୨ ଶହ କଂଗ୍ରେସ ନେତାଙ୍କ ନାମ ସାମିଲ ରହିଛି । ୪୫ ପୃଷ୍ଠା ବିଶିଷ୍ଟ ଏହି ଏଫଆଇଆରରେ ଅନେକ ନେତା ମାନଙ୍କର ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଏହି ଲିଷ୍ଟରେ ପୋଲିସ ପକ୍ଷରୁ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ନାଆକୁ ନେଇ ତୃଟି ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଏଫଆଇଆର କପିରେ ରାହୁଲ ଗାନ୍ଧିଙ୍କୁ ‘କଂଗ୍ରେସ ଅଧ୍ୟକ୍ଷ’ ବୋଲି ଲେଖାଯାଇଛି । କିନ୍ତୁ ଦେଖିବାକୁ ଗଲେ ବିଗତ ଏକ ବର୍ଷ ହେବ ସେ ଏହି ପଦରେ ନାହାନ୍ତି । କେବଳ ସେତିକି ନୁହେଁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାମ ପାଖରେ ପତ୍ନୀଙ୍କ ନାମ ରବର୍ଟ ଭଦ୍ରା ବୋଲି ଲେଖାଯାଇଛି । ଏହା ବ୍ୟତୀତ ଏହି ଏଫଆଇଆରରେ ଅନେକ ଛୋଟମୋଟ ତୃଟି ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଗୁରୁବାର ଦିଲ୍ଲୀରୁ ହାଥରସ ଅଭିମୁଖେ ବାହାରିଥିଲେ । ହାଥରସ ପୀଡ଼ିତାଙ୍କ ପରିବାରଙ୍କୁ ସାକ୍ଷାତ କରିବା ପାଇଁ ଉଭୟ ହାଥରସ ଯାଉଥିବାବେଳେ ନୋଏଡା ଏକ୍ସପ୍ରେସ ୱେ ଠାରେ ପୋଲିସ ତାଙ୍କ ଗାଡ଼ିକୁ ଅଟକାଇଥିଲା । ଏହାପରେ କଂଗ୍ରେସ ନେତା ପଦଯାତ୍ରା ଆରମ୍ଭ କରିବାରୁ ପୋଲିସ ଏବଂ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାପରେ ପୋଲିସ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ପ୍ରଥମେ ଅଟକ ରଖିବାପରେ ଗିରଫ କରିଥିଲା । ଅବଶ୍ୟ କିଛି ସମୟ ପରେ ଉଭୟଙ୍କୁ ଛାଡ଼ିଦିଆଯାଇଥିଲା । ରାହୁଲ ଗାନ୍ଧିଙ୍କ ଉପରେ ନିୟମର ଉଲଙ୍ଘନ କରିବା, ମହାମାରୀ ଆକ୍ଟର ଉଲଙ୍ଗନ କରିବା ସହିତ ଅନ୍ୟ ଧାରାରେ କେସ ଦାଖଲ କରାଗଲା । ନୋଏଡା ପୋଲିସଙ୍କ କହିବା ଅନୁଯାୟୀ ଏଫଆଇଆର ହିସାବରେ ଅତିଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply