ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା

1 min read

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ସୁନିଶ୍ଚିତ କରିବା ନେଇ ପୁରୀ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତ୍ତୋଳନକୁ ବାରଣ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୋଲିସ । ପ୍ରାଥମିକ ଭାବେ ଏ ନେଇ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ । ପୋଲିସର ଏପରି ପଦକ୍ଷେପକୁ ସେବାୟତ ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।

ଶ୍ରୀମନ୍ଦିର ଉପରେ ଉଡ଼ି ପାରିବନି ଡ୍ରୋନ୍ । ଭିତରେ ଫଟୋ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ଭିତର ବାହାରେ ନଜର ରଖିବ ପୁରୀ ପୋଲିସ୍ । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନର ସୁରକ୍ଷା ଓ ପବିତ୍ରତା ବଜାୟ ରଖିବା ପାଇଁ ଏପରି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ପୁରୀ ପୋଲିସ୍ । ଏ ନେଇ ସୋସିଆଲ ମିଡିଆ ମାଧ୍ୟମରେ ପୋଲିସ ପକ୍ଷରୁ ସଚେତନତା ନେଇ ଅପିଲ ମଧ୍ୟ କରାଯାଇଛି । ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ଯାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଉ ଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଶ୍ରୀମନ୍ଦିର ଭିତରେ ମଧ୍ୟ ମୋବାଇଲ ଫଟୋ ଉଠାଇବା ନଜରକୁ ଆସିଛି । ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପୁରୀ ପୋଲିସ୍ । ପୁରୀ ଏସ୍ପି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବା ବେଳେ ଆଗାମୀ ଦିନରେ ଏଭଳି ନିୟମ ଉଲ୍ଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।

ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ ନେଇ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଭଏସ ଅଫ କମନ ମ୍ୟାନ ଅନୁଷ୍ଠାନ ପକ୍ଷରୁ ଏନେଇ ଦୀର୍ଘ ବର୍ଷ ପୂର୍ବରୁ ଦାବି କରାଯାଉଥିଲା । ସେହିପରି ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୁ ନେଇ ଶ୍ରୀମନ୍ଦିର ଭିତରକୁ ମୋବାଇଲ କଟକଣା ଉପରେ ଗୁରୁତ୍ୱ ଦିଆଯିବାକୁ ସେବାୟତ ମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ଉପରେ ଫ୍ଲାଇଂ ଓ ଭିତର ଫୋଟୋ ଭାଇରାଲକୁ ନେଇ ପୁରୀ ସିଂହଦ୍ୱାର ଥାନାରେ ଅନେକ ମାମଲା ରହିଥିବା ବେଳେ DGCA ପକ୍ଷରୁ ନିୟମ କୁ ନେଇ ସ୍ୱତନ୍ତ୍ର ପଦକ୍ଷେପର ଆବଶ୍ୟକତା ରହିଛି।