ଆତ୍ମନିର୍ଭର ଭାରତ ୩.୦: ଅର୍ଥନୀତିକୁ ଆଉ ଏକ ବୁଷ୍ଟର,ଘୋଷଣା କଲେ ଅର୍ଥମନ୍ତ୍ରୀ

1 min read

କରୋନା ସଙ୍କଟରେ ଅର୍ଥନୀତିକୁ ସୁଦୃଢ କରିବାକୁ ମୋଦି ସରକାର ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି । ଧିରେ ଧିରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଥିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ସେ କହିଛନ୍ତି ।  ଆସନ୍ତୁ ଜାଣିବା ଆର୍ଥିକ ପ୍ୟାକେଜରେ କଣ ସବୁ ରହିଛି ।

କଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

ଆତ୍ମନିର୍ଭର ଭାରତର ରୋଜଗାର ଯୋଜନା ଅନୁସରେ ୧.୫୯ଲକ୍ଷ ସଂସ୍ଥାକୁ ୮୩୦୦କୋଟି ଟଙ୍କାର ଋଣ ଦିଆଯାଇଥିଲା । ଏବଂ ଏଥିରେ ୧ କୋଟି ୨୧ଲକ୍ଷ ଲୋକ ଉପକୃତ ହୋଇଛନ୍ତି ।

-ଜରୁରୀକାଳିନ କ୍ରେଡିଟ୍ ଲାଇନ୍ ସ୍କିମ୍ (ECGLS) ଅଧୀନରେ ୬୧ ଲକ୍ଷ ଋଣ ନେଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ କୋଟିରୁ ଅଧିକ ଋଣ ଆବଣ୍ଟନ କରାଯାଇଛି । ଏଥିମଧ୍ୟରୁ ୧.୫୨ ଲକ୍ଷ କୋଟି ଟଙ୍କା ଦିଆ ସରିଛି ।

– ନିର୍ମଳା ସୀତାରମଣ କହିଛନ୍ତି ଯେ ବ୍ୟାଙ୍କଗୁଡିକ ୧୫୭.୪୪ ଲକ୍ଷ ଚାଷୀଙ୍କୁ କିସାନ କ୍ରେଡିଟ କାର୍ଡ ପ୍ରଦାନ କରିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଅଧୀନରେ ୧୬୮୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ନାବାର୍ଡ ମାଧ୍ୟମରେ ୨୫ ହଜାର କୋଟିର ଟଙ୍କାର ଆବଣ୍ଟନ କରାଯାଇଛି ।

– ୨୮ ଟି ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳରେ ୱାନ ନେସନ, ୱାନ ରେସନ କାର୍ଡ ଯୋଜନାରେ ଯୋଡ଼ି ହେବା କାରଣରୁ ପ୍ରବାସୀ ଶ୍ରମିକ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ୧୩୭୩.୩୩ କୋଟି ଟଙ୍କା ମୂଲ୍ୟର  ଋଣ ଆବଣ୍ଟନ କରାଯାଇଛି ।

– ନିର୍ମଳା ସୀତାରମଣ କହିଛନ୍ତି ଯେ, ତୃତୀୟ ତ୍ରୟମାସରେ ଅର୍ଥନୀତିର ସକରାତ୍ମକ ଅଭିବୃଦ୍ଧି ପାଇଁ ଆରବିଆଇ ପୂର୍ବାନୁମାନ କରିଛି । ଷ୍ଟକ୍ ମାର୍କେଟର ଅଭିବୃଦ୍ଧି ଏବଂ ବଜାର କ୍ୟାପ୍ ବୃଦ୍ଧି ହେଉଛି ଆମ ପ୍ରୟାସର ଫଳାଫଳ ।

– ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅତୀତରେ ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି । ବାର୍ଷିକ ଏହା ୧୦ପ୍ରତିଶତ ବୃଦ୍ଧି ପାଇଛି । ଏଥି ସହିତ ବ୍ୟାଙ୍କ କ୍ରେଡ଼ିଟ ୨୩ ଅକ୍ଟୋବର ପର୍ଯ୍ୟନ୍ତ ୫.୧ ପ୍ରତିଶତ ବୃଦ୍ଧି ପାଇଛି । ଯେତେବେଳେ କି ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛି ।

– ସୂଚନାଯୋଗ୍ୟ ଯେ, ବୁଧବାର ନିଜେ ସରକାର ୧୦ଟି ସେକ୍ଟରର ଉତ୍ପାଦନକାରୀଙ୍କ ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କ୍ ଇନସେଣ୍ଟିଭ୍ (PLI)  ବା ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଏହାପୂର୍ବରୁ ମେ ମାସରେ ସରକାର ଆତ୍ମନିର୍ଭରଶୀଳ ଅଭିଯାନ ଅଧୀନରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ (ଜୁଲାଇ-ସେପ୍ଟେମ୍ବର) ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପୂର୍ବ ବର୍ଷ ତୁଳନାରେ ୮.୬ ପ୍ରତିଶତ ହ୍ରାସ ହୋଇପାରେ । ଏହିପରି ଭାବରେ କ୍ରମାଗତ ଦୁଇ ତ୍ରୟମାସରେ ଜିଡିପି ହ୍ରାସ ହେବା ସହିତ ଦେଶ ପ୍ରଥମ ଥର ପାଇଁ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି ।  କୋଭିଡ୍ -19 ମହାମାରୀ ଏବଂ ଲକଡାଉନର ପ୍ରଭାବ ପ୍ରଥମ ତ୍ରୟମାସରେ ୨୩.୯ ପ୍ରତିଶତ ହ୍ରାସ ପାଇଥିଲା​​ । ଚଳିତ ଆର୍ଥିକ ବର୍ଷରେ ଜିଡିପିରେ ୯.୬ ପ୍ରତିଶତ ହ୍ରାସ ହୋଇପାରେ ବୋଲି ଆରବିଆଇ ଆକଳନ କରିଛି ।

Leave a Reply