ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ ପାଇଁ ଦେଶର ସବୁ ଦେବାଦେବୀ ପୀଠକୁ ଯିବ ନିମନ୍ତ୍ରଣ ପତ୍ର

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ ହେବ । ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଭବ୍ୟ ଭାବରେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯିବ । ୨୬ ତାରିଖରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ପୁରୀଠାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ହୋଇଛି ।  ଆସନ୍ତା ୨୮ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ ।

୧୩ଟି ଗାଡ଼ି ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିବେ । ସେହିପରି ୧୭ଟି ଗାଡ଼ି ରାଜ୍ୟ ବାହାରକୁ ଯାତ୍ରା କରିବ । ପ୍ରଥମ ନିମନ୍ତ୍ରଣ ପତ୍ର ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରାଯିବ। ସେବକମାନେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଏହାପରେ ବିଭିନ୍ନ ଦଳଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ। ରାଜ୍ୟ ମଧ୍ୟରେ ଚିଲିକା, ଖଲିକୋଟ, କୋଦଳା ଅଞ୍ଚଳକୁ ପ୍ରଥମ ଦଳ ଯାତ୍ରା କରିବ।

ଦ୍ୱିତୀୟ ଦଳ ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା, ତୃତୀୟ ଦଳ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଦଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପଞ୍ଚମ ଦଳ ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, ଷଷ୍ଠ ଦଳ ସମ୍ବଲପୁର ଝାରସୁଗୁଡ଼ା, ସୁନ୍ଦରଗଡ଼, ସପ୍ତମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର, ଅଷ୍ଟମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନବମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଦଶମମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆରି, ରାୟଚକ୍ରଧରପୁର ଓ ଢ଼େଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ। ଅନୁରୂପ ଭାବରେ ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବଦୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ୱରମ୍, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି।