କରୋନା ପାଇଁ ବିବାହ ଘୁଞ୍ଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ୱେଲିଙ୍ଗଟନ୍: କୋଭିଡ କଟକଣା ଯୋଗୁ ନିଜ ବିବାହ ସ୍ଥଗିତ ରଖିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ । ନିଜେ ଜାରି କରିଥିବା କଟକଣା ଯେପରି ଉଲ୍ଲଂଘନ ହେବ ନାହିଁ ସେଥିଲାଗି ସେ ନିଜ ବିବାହକୁ ଘୁଞ୍ଚାଇଛନ୍ତି । ବିବାହ ଉତ୍ସବରେ କେବଳ ଟିକା ନେଇଥିବା ୧୦୦ ଲୋକଙ୍କ ଉପସ୍ଥିତି ରହିବାକୁ ନିୟମ ଜାରି କରାଯାଇଛି । ସେ କହିଛନ୍ତି ଦେଶରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ରୋକିବା ଲାଗି ସରକାର ନୂଆ କଟକଣା ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ସେ ନିଜ ବିବାହକୁ ସ୍ଥଗିତ ରଖିଛନ୍ତି । ଗୋଟିଏ ପରିବାରରୁ ୫ ଜଣ ଏବଂ ଏକ ବିମାନର ଜଣେ କର୍ମଚାରୀ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ବିବାହ ଉତ୍ସବରେ ତତକ୍ଷଣାତ କଟକଣା ଜାରି କରିଥିଲେ ।

ଡେଲଟା ତୁଳନାରେ ଓମିକ୍ରନ ଅଧିକ ବେଗରେ ସଂକ୍ରମଣ କରୁଥିବାରୁ ଏହାକୁ ନେଇ ଚିନ୍ତିତ ଅଛନ୍ତି ନ୍ୟୁଜିଲାଣ୍ଡ ସରକାର । ଏହା ସହ ପବ୍ଲିକ ଟ୍ରାନ୍ସପୋର୍ଟ ଓ ଦୋକାନ ଲାଗି ବି କଟକଣା ଜାରି କରିଛନ୍ତି ସରକାର । ଆର୍ଡେନ ଓ ତାଙ୍କ ଦୀର୍ଘଦିନର ପାର୍ଟନର କ୍ଲାର୍କ ଗେଫୋର୍ଡଙ୍କ ମଧ୍ୟରେ ବିବାହ ଧାର୍ଯ୍ୟ ହୋଇଥିଲା । ମାତ୍ର କଟକଣା କୋହଳ ହେବା ପରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । କୋଭିଡ ସଂକ୍ରମଣ ଆରମ୍ଭ କାଳରୁ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୫ ହଜାର ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ହୋଇଛି ୫୨ ।

Leave a Reply