ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା ଏନସିପି କମିଟି

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା ଏନସିପି କମିଟି । ଶରଦ ପାଓ୍ବାର ହିଁ ଦଳର ଅଧ୍ୟକ୍ଷ ରହିବେ ବୋଲି ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି । ଏନେଇ ଘୋଷଣା କରିଛନ୍ତି ଦଳର ନେତା ପ୍ରଫୁଲ୍ଲ ପଟେଲ । କମିଟିର ଏହି ଘୋଷଣା ପରେ ମୁମ୍ବାଇ ଏନସିପି କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ବାଣ ଫୁଟାଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ଭିଡ ଲାଗିଥିଲା । ଶରଦଙ୍କ ସପକ୍ଷରେ କର୍ମୀମାନେ ସ୍ଲୋଗାନ ଦେବା ସହ ବିଭିନ୍ନ ସ୍ଥାନରେ ଲାଗିଥିଲା ତାଙ୍କ ପୋଷ୍ଟର ଓ ବ୍ୟାନର । ପାଓ୍ବାରଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ କମିଟି ଦଳର ପରବର୍ତ୍ତୀ ନେତାଙ୍କୁ ଚୟନ କରିବା ଆଶା କରାଯାଉଥିଲା। ଆଜିର ବୈଠକରେ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେଲ, ଅଜିତ ପାଓ୍ବାର, ଛଗନ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଆଜି ପାଓ୍ବାରଙ୍କ ସହ ଆଲୋଚନା କରିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ସିପିଏମ ନେତା ସୀତାରାମ ୟେଚୁରୀ, ଆପ୍ ନେତା ସଞ୍ଜୟ ସିଂ, ସିପିଆଇ ନେତା ଡି. ରାଜା ପ୍ରମୁଖ ।