ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ପଶିବନି ମୋବାଇଲ୍, ସେବାୟତ ଓ କର୍ମଚାରୀ ନେଇପାରିବେନି ଫୋନ୍

ପୁରୀ: ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ପଶିବନି ମୋବାଇଲ୍ । ସେବାୟତ ଓ କର୍ମଚାରୀ ବି ନେଇପାରିବେନି ଫୋନ୍ । ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପାଇଁ ମୋବାଇଲ ଫୋନ୍ କଟକଣା ଥିବା ବେଳେ ଏବେ ପୋଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି । ନିୟମ ଭାଙ୍ଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।

ସେବାୟତ ଓ କର୍ମଚାରୀଙ୍କ ମୋବାଇଲ ରଖିବାକୁ ବ୍ୟବସ୍ଥା କରାଯିବ । ସିଂହଦ୍ବାର ଓ ଦକ୍ଷିଣ ଦ୍ବାରରେ ମୋବାଇଲ ରଖିବା ନେଇ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା । ନୀତିକାନ୍ତି ଅପଡେଟ ପାଇଁ ମନ୍ଦିରରେ ଗୋଟିଏ ମୋବାଇଲ୍ ରହିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଗତ ଦିନରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଭକ୍ତ ।

ସେତବେଳେ କେବଳ ପୋଲିସ କର୍ମଚାରୀ ଓ ସେବାୟତଙ୍କୁ ମୋବାଇଲ ନେବା ପାଇଁ ଅନୁମତି ଥିଲା । ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ମୋବାଇଲ୍ ବ୍ୟାନ୍ ନିଷ୍ପତ୍ତି ନେଇଛି । ଯଦି କେହି ମୋବାଇଲ୍ ନେଇଥିବାର ଜଣାପଡ଼େ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।