ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଚାନ୍ଦିପୁର ଆଇଟିଆରରୁ ୩ ମାସ ବନ୍ଦ ରହିବ ମିଜାଇଲ ପରୀକ୍ଷଣ

ବାଲେଶ୍ବର: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଚାନ୍ଦିପୁରର ଆଇଟିଆର ରୁ ୩ ମାସ ବନ୍ଦ ରହିବ ମିଜାଇଲ ପରୀକ୍ଷଣ । ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଚ ଓଡ଼ିଶା ଉପକୂଳକୁ ଆସିଥାନ୍ତି । ଜାନୁଆରୀରୁ ମେ ଯାଏଁ ଅଣ୍ଡାଦାନ ପ୍ରକ୍ରିୟା ଜୋରଦାର ହୋଇଥାଏ । ବିଲୁପ୍ତ ପ୍ରାୟ ଅଲିଭ ରିଡ଼ଲେ କଇଁଚଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଅେନକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଲିଭ ରିଡ଼ଲେ କଇଁଚ ପ୍ରଜନନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଗହୀରମଥା ସବୁଠୁ ନିରାପଦ ସ୍ଥାନ ।

ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଚ ସେମାନଙ୍କ ବହଶବୃଦ୍ଧି ପାଇଁ ଓଡ଼ିଶା ଉପକୂଳକୁ ବାଛିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ବରରୁ କେନ୍ଦ୍ରାପଡ଼ା, ଜଗତସିଂହୁପରରୁ ଗଞ୍ଜାମ ଯାଏଁ ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମତ୍ସଜୀବୀମାନଙ୍କୁ ମାଛଧରା ପାଇଁ ବାରଣ କରାଯାଇଥିବା ବେଳେ ସେମାନଙ୍କ ଜୀବନଜୀବିକା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚାନ୍ଦିପୁର ଅବଦୁଲ କାଲାମ ଦୀପରେ ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜରେ ଲାଇଟ୍ ଏବଂ ସାଉଣ୍ଡ କମ୍ କରିବାକୁ ମିଜାଇଲ୍ ଟେଷ୍ଟ ଜାନୁଆରୀରୁ ମାର୍ଚ୍ଚ ଯାଏଁ ବନ୍ଦ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ଅନୁସାରେ ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମୁଦ୍ର କୁଳରେ ଲୋକଙ୍କ ଅଯଥା ଚଳପ୍ରଚଳ ଉପରେ ରୋକ୍ ଲଗାଯାଇଛି । ଅଲିଡ଼ ରିଡ଼ଲେଙ୍କ ସଂଖ୍ୟା ଦିନକ ଦିନ କମୁଥିବା ବେଳେ ଓଡ଼ିଶା ଉପକୂଳରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଅଣ୍ଡାଦାନ କରିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ପରିବେଶବିତ୍ ।