ବଦଳୁଛି ମିଶନ ଶକ୍ତିର ପରିଭାଷା: ସମ୍ଭାଳିବେ ବିଭିନ୍ନ ମେଡିକାଲର ୧୩ଟି କାମ

ଭୁବନେଶ୍ବର: ବଦଳୁଛି ମିଶନ ଶକ୍ତିର ପରିଭାଷା । ସଶକ୍ତ ହେଉଛନ୍ତି ଏସଏଚଜି ସଦସ୍ୟା । ରାଜ୍ୟ ସରକାରଙ୍କ ସହଭାଗିତାରେ ବ୍ୟବସାୟ କରୁଛନ୍ତି । ଧାନକିଣାଠାରୁ ଗାଁ ଗାଁରେ ବ୍ୟାଙ୍କସେବା, ଜଳ ଓ ପରିମଳ ପରିଚାଳନା ଠାରୁ ମାଛଚାଷ, ସବୁଠି ପ୍ରଦର୍ଶନ କରିଛନ୍ତି ଦକ୍ଷତା । ଏବେ ରାଜ୍ୟ ସରକାର ଆଉ ଏକ ସୁଯୋଗ ଦେବାକୁ ଯାଉଛନ୍ତି । ଏସଏଚଜି ନେବେ ଡାକ୍ତରଖାନା ଦାୟିତ୍ବ । ରୋଗୀଙ୍କୁ ଖାଦ୍ୟ ଯୋଗାଣରୁ ଡାକ୍ତରଖାନାର ସମ୍ବର୍ଦ୍ଧନା କକ୍ଷର ଦାୟିତ୍ବ ନେବେ ଏଏଚଜି ମହିଳା । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସବୁ ମେଡିକାଲ କଲେଜ ଏବଂ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

ବଢୁଛି ମିଶନ ଶକ୍ତିର କଳେବର । ସ୍ବାବଲମ୍ବୀ ହେବା ସହ ଶକ୍ତିଶାଳୀ ହେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା । ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ୨୧ବର୍ଷ ପରେ ୭୦ଲକ୍ଷ ମହିଳାଙ୍କ ପାଇଁ ଭରସା ପାଲଟିଛି । ୨୦୧୯ରେ ନବୀନଙ୍କ ପଞ୍ଚମ ପାଳି ସରକାରର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ୫ହଜାର କୋଟି ଟଙ୍କାର ବ୍ୟବସାୟ ମିଶନ ଶକ୍ତି ହାତକୁ ନେବାକୁ ନିଷ୍ପତ୍ତି ହୋଇଛି । ଏବେ ପ୍ରାୟ ୨୪ଟି ବିଭାଗରେ ସରକାରଙ୍କ ସହ ଭାଗିଦାରୀରେ ଏସ୍ଏଚଜି କାମ କରୁଛନ୍ତି । ମାଛଚାଷ, ଧାନଚାଷରୁ ଧାନ କିଣା ଯାଏ, ଜଳ ପରିଚାଳନାରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଚଲାଇବା ଯାଏଁ ସବୁଠି ଦେଖାଇଛନ୍ତି ଦକ୍ଷତା । ଏବେ ମିଳିଛି ଆଉ ଏକ ସୁଯୋଗ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି । ଏଥିପାଇଁ ଏସଏଚଜିଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

୨୦୧୮ରେ ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଥିଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ । କଳାହାଣ୍ଡି ଜିଲ୍ଲାର ୧୭ଟି ପଞ୍ଚାୟତରେ ୧୭ଟି ଏସ୍ଏଚଜି ଧାନକିଣା ଦାୟିତ୍ବ ନେଇଥିଲେ । ୨୦୨୨ରେ ୧୩ଶହ ଏସଏଚଜି ୪ ହଜାର କୋଟି ଟଙ୍କାର ଧାନ କାରବାର କରି ଦକ୍ଷତା ଦେଖାଇଛନ୍ତି । ସେହିପରି ଗାଁ ଗାଁରେ ବ୍ୟାଙ୍କ ଶାଖା ନଥିବାରୁ ମହିଳା ଏସଏଚଜିଗୁଡ଼ିକ ବ୍ୟାଙ୍କ ସଖୀ ଭୂମିକା ତୁଲାଉଛନ୍ତି । ୨୨ଶହ ମହିଳା ସଦସ୍ୟା ଗତବର୍ଷ ୮୮୦କୋଟି ଟଙ୍କାର କାରବାର କରିଥିଲେ । କମିଶନ ବାବଦକୁ ପ୍ରତି ସଦସ୍ୟା ମାସକୁ ୩ରୁ ୧୫ ହଜାର ଟଙ୍କା ରୋଜଗାର କରିଛନ୍ତି । ଏବେ ଡାକ୍ତରଖାନାର ଡାଏଟ୍ ମ୍ୟାନେଜମେଣ୍ଟ, ହାଉସ କିପିଙ୍ଗ୍‌, ଅଭ୍ୟର୍ଥନା ପ୍ରକୋଷ୍ଠ, ବିଏସକେଓ୍ବାଇ ସଚେତନତା କେନ୍ଦ୍ର, ମହାପ୍ରୟାଣ ଗାଡ଼ି ପରିଚାଳନା ଭଳି ଦାୟିତ୍ବ ସମ୍ଭାଳିବେ । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ମିଶନ ଶକ୍ତି ବିପ୍ଳବରେ ପରିଣତ ହୋଇଛି ।