କଂଗ୍ରେସରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ପ୍ରସ୍ତାବକୁ ମୋହର

1 min read

ନୂଆଦିଲ୍ଲୀ: ଏକ ବ୍ୟକ୍ତି-ଏକ ପଦବୀ ଓ ଏକ ପରିବାର ଏକ ଟିକେଟ ପ୍ରସ୍ତାବ ଉପରେ ବାଜିଲା ସିଡବ୍ଲୁସି ମୋହର । ହେଲେ ଏହି ନୀତି ପରିସରକୁ ଆସିବେନି ଗାନ୍ଧି ପରିବାର । ଅତି କମ୍‌ରେ ୫ ବର୍ଷ କାମ କରି ନଥିଲେ ଦଳୀୟ ନେତାଙ୍କ ପରିବାରର ସଦସ୍ୟଙ୍କୁ ମିଳିବନି ଟିକେଟ । ତେବେ ସଂସଦୀୟ ବୋର୍ଡ ଗଠନ ପ୍ରସ୍ତାବ ହୋଇଛି ନାମଞ୍ଜୁର । ଦଳକୁ ମଜଭୁତ କରିବା ଲାଗି ଆହ୍ବାନ ଦିଆଯାଇଥିବାବେଳେ ବିଜେପି ଓ ଆରଏସଏସକୁ କରାଯାଇଛି ଟାର୍ଗେଟ । ଆସନ୍ତା ଗାନ୍ଧି ଜୟନ୍ତୀରୁ ଭାରତ ଯୋଡ଼ ଯାତ୍ରା କରିବା ଲାଗି ଦିଆଯାଇଛି ଆହ୍ବାନ ।

କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିରରେ ମେଗା ପ୍ଲାନ । ଫୋକସରେ ୨୦୨୪ ଲାଗି ବ୍ଲୁପ୍ରିଣ୍ଟ । ପୁଣି ଗାନ୍ଧି ପରିବାରର ହିଁ ଚାଲିବ ରାଜ୍ । ଏକ ବ୍ୟକ୍ତି-ଏକ ପଦବୀ ଓ ଏକ ପରିବାର ଏକ ଟିକେଟ ପ୍ରସ୍ତାବ ଉପରେ ଲାଗିଛି ସିଡବ୍ଲୁସି ମୋହର । ତେବେ ଏହି ନୀତିରୁ ଗାନ୍ଧି ପରିବାରକୁ ଦିଆଯାଇଛି ବାଦ୍ । ବୟସଗତ ସୀମା ନେଇ ହୋଇଥିବା ପ୍ରସ୍ତାବ ହୋଇଛି ଅଗ୍ରାହ୍ୟ । କଂଗ୍ରେସ ନିର୍ବାଚନ କମିଟି ବଦଳରେ ସଂସଦୀୟ ବୋର୍ଡ ଗଠନ ପ୍ରସ୍ତାବ ବି ହୋଇଛି ନାମଞ୍ଜୁର । ସେହିପରି ଦଳ ଲାଗି ଅତି କମ୍‌ରେ ୫ ବର୍ଷ କାମ କରି ନଥିଲେ ଦଳୀୟ ନେତାଙ୍କ ପରିବାରର ସଦସ୍ୟଙ୍କୁ ମିଳିବନି ଟିକେଟ । ରାଜସ୍ଥାନ ଉଦୟପୁରରେ ହୋଇଥିବା ଚିନ୍ତନ ଶିବିରରେ ଦଳକୁ ପୁନର୍ଗଠନ କରିବା ଲାଗି ପ୍ରସ୍ତୁତ ହୋଇଛି ରଣନୀତି । ଦଳର ନେତା ରାହୁଲ ଗାନ୍ଧି ମାନିଛନ୍ତି, ଜନତାଙ୍କ ନିକଟରୁ କଂଗ୍ରେସ ଦୂରେଇ ଯିବା କଥା ସତ୍ୟ । କୃଷକ ଓ ଶ୍ରମିକଙ୍କ ମଧ୍ୟରେ ରହିବାକୁ ପଡ଼ିବ । ଦେଶର ବିଭିନ୍ନ ପ୍ରତିଷ୍ଠାନର ସୁରକ୍ଷା ଲାଗି ବିଜେପି ଓ ଆରଏସଏସ ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି ରାହୁଲ ।

ଚିନ୍ତନ ଶିବିରରେ ଜାରି ହୋଇଛି ଘୋଷଣାନାମା । ସଂଗଠନର ସବୁସ୍ତରରେ ୫୦ ବର୍ଷରୁ କମ ବୟସ୍କଙ୍କ ଲାଗି ୫୦ ଭାଗ ପଦବୀ ସଂରକ୍ଷିତ ରହିବ । କୌଣସି ଜଣେ ବ୍ୟକ୍ତି ଦଳର ଗୋଟିଏ ପଦବୀରେ ୫ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ । ଆସନ୍ତା ଅକ୍ଟୋବର ୨ରୁ ଦଳ ଆରମ୍ଭ କରିବ କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ଼ ଯାତ୍ରା । ଦଳରେ ପବ୍ଲିକ ଇନସାଇଟ, ନିର୍ବାଚନ ପରିଚାଳନା, ଜାତୀୟ ପ୍ରଶିକ୍ଷଣ ଆଦି ୩ କମିଟି ହେବ ଗଠନ ।