ତୋମରଙ୍କୁ ଭେଟିଲେ ଅତନୁ: ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ କଲେ ଦାବି

ଭୁବନେଶ୍ବର: ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ରାଜ୍ୟ ସମବାୟ ମନ୍ତ୍ରୀ। ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ ନକରି ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଦାବି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟର ଚାଷୀଙ୍କ ପାଇଁ ବିପଦ ହ୍ରାସ କରିବାର ପ୍ରମୁଖ ଯୋଜନା । ଏନଡିଆରଫ, ଏସଡିଆରଏଫ୍ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯାଉଛି । ୨୦୨୧ ଖରିଫ୍ ଋତୁରେ ବୀମା କମ୍ପାନୀଗୁଡ଼ିକ ୨୬୩ଟି ବୀମା ୟୁନିଟର ଫସଲ କଟା ଉପରେ ଆପତ୍ତି ଉଠାଇ ଚାଷୀଙ୍କ ବୀମା ଅଟକାଇ ଥିଲେ । ରାଜ୍ୟସ୍ତରୀୟ କମିଟିର ହସ୍ତକ୍ଷେପ ପରେ କେବଳ ୩୮ଟି ବୀମା ୟୁନିଟ୍ ପାଇଁ ବୀମା ରାଶି ମଞ୍ଜୁର ହୋଇଥିଲା । ରାଜ୍ୟ ସରକାର ସମସ୍ତ ବୀମା ୟୁନିଟ୍ ସଂପର୍କିତ ମାମଲାର ବିସ୍ତୃତ ବିଶ୍ଳେଷଣ କରିଥିଲେ ବି ବାକି ୨୨୫ ବୀମା ୟୁନିଟ୍ ପାଇଁ ବୀମା ରାଶି ଅଟକାଇଥିଲେ । ଏହି ୨୨୫ଟି ମାମଲା ମଧ୍ୟରୁ ବୈଷୟିକ ପରାମଶର୍ଦାତା କମିଟି ୧୮୯ଟି ମାମଲାର ଶୁଣାଣି ନଭେମ୍ବର ୩ ତାରିଖ ଦିନ କରିଛି । ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

ବୀମା ରାଶି ପାଇବାରେ ଅହେତକୁ ବିଳମ୍ବ ଚାଷୀଙ୍କ ଚାଷକାମରେ ପ୍ରତିକୂଳ ପ୍ରଭାବ ପକାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଚାର କରି ରାଜ୍ୟର ଚାଷୀଙ୍କ ବୀମା ରାଶି ତୁରନ୍ତ ଦେବାକୁ ବୈଷୟିକ ପରାମର୍ଶଦାତା କମିଟିକୁ ନିର୍ଦ୍ଦେଶ ଦେବାକୁ ସମବାୟ ମନ୍ତ୍ରୀ ଦାବି ଜଣାଇଛନ୍ତି ।