ଛାତ୍ରଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା

1 min read

ନନ୍ଦିଘୋଷ ବ୍ୟୁରୋ: ଆଶ୍ରମ ବିଦ୍ୟାଳୟର ଜଣେ ଛାତ୍ର ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା। ଏହାକୁ ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଧରମପାଲ୍ଲି ଆଶ୍ରମ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ପୋଇବା ଓ ଗ୍ରାମବାସୀ ମଧ୍ୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। ମୃତଛାତ୍ର ହେଉଛନ୍ତି ନିନ୍ଦିୱାଦା ଗ୍ରାମର ସୁକାନ୍ତ ମାଢ଼ୀ । ସୁକାନ୍ତ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କିଛି ଦିନ ଧରି ରୋଗରେ ପୀଡିତ ଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଗତ ୮ ତାରିଖ ଦିନ ସ୍ଥାନୀୟ ମେଡିକାଲରେ ତାଙ୍କର ଚିକିତ୍ସା କରିଥିଲେ । ସୁକାନ୍ତଙ୍କ ଦେହ ଅଧିକ ଖରାପ ହେବା ପରେ ପରିବାର ଲୋକଙ୍କୁ ନଜଣାଇ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଟିକୁ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି I ଚାଲି ଚାଲି ଗାଁକୁ ଯାଇଥିବା ବେଳେ ଗତକାଲି ସୁକାନ୍ତଙ୍କ ମୃତ୍ୟୁ ହୋଇଛି । ପରିବାର ଓ ଗାଁ ଲୋକେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ଘଟଣାସ୍ଥଳରେ ପଡିଆ ବିଡ଼ିଓ, ଥାନା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ସହ  ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।