ଧର୍ମପତ୍ନୀଙ୍କୁ ଅବିକଳ ତାଜମହଲ ପରି ଦିଶୁଥିବା ଘର ଉପହାର ଦେଲେ ମଧ୍ୟପ୍ରଦେଶର ବ୍ୟକ୍ତି

ଭୋପାଳ: ମଧ୍ୟ ପ୍ରଦେଶର ବୁରହାନପୁରର ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କ ପାଇଁ ଅବିକଳ ତାଜମହଲ ପରି ବିଳାସପୂର୍ଣ୍ଣ ଘର ତିଆରି କରି ଉପହାର ଦେଇଛନ୍ତି । ଏହା ଅସଲ ତାଜମହଲ ପରି ଦେଖାଯାଉଥିବା ୪ ଶୟନକକ୍ଷ ବିଶିଷ୍ଟ ଏକ ଘର ଅଟେ । ଏହି ଘରେ ୪ଟି ବେଡରୁମ, ଗୋଟିଏ ରୋଷେଇ ଘର, ଗୋଟିଏ ଲାଇବ୍ରେରୀ ଏବଂ ଗୋଟିଏ ମେଡିଟେସନ ରୁମ ରହିଛି । ଘରଟିକୁ ପ୍ରସ୍ତୁତ କରିବା ପାଇଁ ବ୍ୟକ୍ତି ଜଣଙ୍କୁ ପ୍ରାୟ ୩ ବର୍ଷ ଲାଗିଥିଲା । ଘରର ଫ୍ଲୋରିଂ ରାଜସ୍ଥାନର ମକରାନା ଏବଂ ଫର୍ଣ୍ଣିଚର ମୁମ୍ବାଇର କାରିଗରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । କେବଳ ସେତିକି ନୁହେଁ, ଘର ଭିତରେ ଏବଂ ବାହାରେ ଏମିତି ଟାଇଲ ଲଗାଯାଇଛି ଯେ, ତାହା ରାତିରେ ମଧ୍ୟ ଅସଲି ତାଜମହଲ ପରି ଚମକି ଉଠିବ  ।

ବୁରହାନପୁରରେ ହୋଇଥିଲା ମୁମତାଜଙ୍କ ମୃତ୍ୟୁ

ବୁର୍‌ହାନ୍‌ପୁରର ବାସିନ୍ଦା ଆନନ୍ଦ ଚୋକ୍‌ସେଙ୍କୁ ଗୋଟିଏ କଥା ଖୁବ୍‌ ବିସ୍ମିତ କରେ। ତାହା ହେଲା, ମୋଗଲ ସମ୍ରାଟ ଶାହ ଜାହାନ୍‌ଙ୍କ ପତ୍ନୀ ମମ୍‌ତାଜ୍‌ଙ୍କୀ ବୁର୍‌ହାନ୍‌ପୁର ନଗରୀରେ ମୃତ୍ୟୁ ହୋଇଥିଲେ ବି ଏଠାରେ କାହିଁକି ତାଜ୍‌ମହଲ ନିର୍ମାଣ କରାଗଲା ନାହିଁ? ଶୁଣାଯାଏ, ତାପ୍ତି ନଦୀ କୂଳରେ ତାଜ୍‌ମହଲ ନିର୍ମାଣ କରାଯିବାର ଥିଲା କିନ୍ତୁ, ପରେ ତାହା ଆଗ୍ରାରେ ନିର୍ମାଣ କରାଗଲା।

ସେ ଯାହାହେଉ ନା କାହିଁକି, ଅବିକଳ ତାଜ୍‌ମହଲ ପରି ଦିଶୁଥିବା ଆନନ୍ଦଙ୍କ ଏହି ୪ଟି ଶୟନକକ୍ଷ ଥିବା ଘର ନିର୍ମାଣ ପାଇଁ ୩ ବର୍ଷ ଲାଗିଛି। ଏହି ଘର ନିର୍ମାଣ କରିଥିବା ଇଞ୍ଜିନିୟର୍‌ କହନ୍ତି ଯେ, ଏଥିପାଇଁ ତାଙ୍କୁ ଅନେକ ଚଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ପ୍ରଥମେ ସେ ଅସଲ ତାଜ୍‌ମହଲକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ଘରର ଅଭ୍ୟନ୍ତର ନିର୍ମାଣ ପାଇଁ ସେ ପଶ୍ଚିମବଙ୍ଗ ଏବଂ ଇନ୍ଦୋରର ଚିତ୍ରକରମାନଙ୍କ ସହଯୋଗ ଲୋଡ଼ିଥିଲେ ।

ଉକ୍ତ ଘରର ଗମ୍ବୁଜର ଉଚ୍ଚତା ୨୯ ଫୁଟ୍‌ । ଘରର ଚାରିପଟେ ତାଜମହଲରେ ଥିବା ବୁରୁଜ ବା ମୀନାର (ଟାୱାର୍‌) ବୁରୁଜ ଅଛି। ଘରର ଚଟାଣ ତିଆରି ହୋଇଛି ରାଜସ୍ଥାନର ମକରାନାରେ ମିଳୁଥିବା ଶଙ୍ଖମର୍ମ୍ମର (ମାର୍ବଲ୍‌) ପଥରରେ। ଘରେ ଥିବା ଆସବାବ୍‌ପତ୍ର ପ୍ରସ୍ତୁତ କରିଛନ୍ତି ମୁମ୍ବାଇର କାରିଗରମାନେ। ଘର ଭିତରେ ଅଛି ଗୋଟାଏ ବଡ଼ ହଲ୍‌, ତଳେ ୨ଟି ଓ ଉପରେ ୨ଟି ଶୟନକକ୍ଷ, ଗୋଟିଏ ପାଠାଗାର ଏବଂ ଗୋଟିଏ ଧ୍ୟାନ କକ୍ଷ। କେବଳ ଏତିକି ନୁହେଁ, ଘର ଭିତର ଏବଂ ବାହାରର ଆଲୋକ ବ୍ୟବସ୍ଥା ଏମିତି କରାଯାଇଛି ଯେ, ତାହା ଅନ୍ଧାରରେ ପ୍ରକୃତ ତାଜ୍‌ମହଲ ପରି ଝଟକୁଛି ।

Leave a Reply