ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ସ୍ୱର୍ଗତ ବୀଣାପାଣିଙ୍କ ଶେଷକୃତ୍ୟ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

1 min read

କଟକ: ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ରବିବାର ଦିନ ପରଲୋକ ଘଟିଛି। ଆଜି ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱର୍ଗତ ମହାନ୍ତିଙ୍କର କଟକ ଠାରେ ଶେଷକୃତ୍ୟ କରାଯିବ । ଏହି ଖ୍ୟାତାନାମା ସାହିତ୍ୟିକାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏନେଇ ସେ ଟ୍ୱିଟ୍ କରିବା ସହ  କହିଛନ୍ତି ଓଡ଼ିଆ ସାହିତ୍ୟଜଗତ ଲାଗି ବୀଣାପାଣିଙ୍କ ଅବଦାନ ଥିଲା ଅତୁଳନୀୟ । ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି । ଅନ୍ୟ ଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍ ଲୋକପ୍ରିୟତା ହାସଲ କରିଛି । ତାଙ୍କର ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓଁ ଶାନ୍ତି ।

ସେହିପରି ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ବୀଣାପାଣିଙ୍କ ବିୟୋଗ ଓଡିଆ ସାହିତ୍ୟଜଗତ ଲାଗି ଅପୂରଣୀୟ କ୍ଷତି। କାଳଜୟୀ ସୃଜନସୃଷ୍ଟି ପାଇଁ ପାଠକଙ୍କ ହୃଦୟରେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ବୀଣାପାଣିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର କାଳଜୟୀ ରଚନା  ନାରୀ ସଶକ୍ତିକରଣ  ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ  ଜଗତରେ  ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଖ୍ୟାତ ଲେଖିକା ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେ କହିଛନ୍ତି- ଓଡ଼ିଆ ଭାଷାକୁ ବୀଣାପାଣି ସମୃଦ୍ଧ କରିଛନ୍ତି। ତାଙ୍କର ସୃଷ୍ଟି ମାଧ୍ୟମରେ ବୀଣାପାଣି ଚିର ସ୍ମରଣୀୟ ହୋଇ ରହିବେ।

ଉଲ୍ଲେଖଯୋଗ୍ୟ, ବାଦାମବାଡ଼ିସ୍ଥିତ ବାସଭବନରେ ୮୫ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ବୀଣାପାଣି ମହାନ୍ତି ୧୧ ନଭେମ୍ବର ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ ।

ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା। ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ ।

୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ତାଙ୍କର ପ୍ରମୁଖ ପୁସ୍ତକ ଗୁଡ଼ିକ ମଧ୍ୟରେ ଥିଲା କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ପାଟଦେଇ, ବସ୍ତ୍ର ହରଣ, ଆରୋହଣ, ଇଣ୍ଟରଭିଉ, ଏକାକୀ ପରାଶର, ନବ ତରଙ୍ଗ, ଅନ୍ଧକାରର ଛାଇ, ମଧ୍ୟାନ୍ତର ଇତ୍ୟାଦି । ତାଙ୍କର ପ୍ରମୁଖ ଉପନ୍ୟାସଗୁଡ଼ିକ ହେଲେ ସୀତାର ଶୋଣିତ, ମନସ୍ୱିନୀ, କୁନ୍ତୀ କୁନ୍ତଳା ଶକୁନ୍ତଳା ଇତ୍ୟାଦି।