ଶେଷ ଦିନରେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ୱର: ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ଜାରି ରହିଛି ବିଜେଡି ମୁଖିଆଙ୍କ ଆଲୋଚନା। ଆଜି ଶେଷ ଦିନରେ ବାକି ଥିବା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନେଇ ବିଜେଡି ସଭାପତିଙ୍କ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ସୁପ୍ରିମୋଙ୍କୁ ରିପୋର୍ଟ ଦେବାକୁ ପ୍ରସ୍ତୁତି କରିଛନ୍ତି ପର୍ଯ୍ୟବେକ୍ଷକ । କେମିତି ଓ କାହା ପାଇଁ କିଛି ସ୍ଥାନରେ ପରାସ୍ତ ହୋଇଥିଲା ଦଳ, ସେନେଇ ନବୀନଙ୍କ ଆଗରେ ସମସ୍ତ ତଥ୍ୟ ରଖିବେ ପର୍ଯ୍ୟବେକ୍ଷକ ।

CM Naveen Patnaik Advised Newly Elected Panchayat Leaders To Focus On Development Work

ତେବେ ରିପୋର୍ଟ ଆଧାରରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଭଲ କାମ କରିଥିବା ନେତା ଓ କର୍ମୀଙ୍କୁ ପୁରସ୍କାର ବି ମିଳିପାରେ । ଗତ ଦୁଇଦିନର ସମୀକ୍ଷାରେ ପର୍ଯ୍ୟବେକ୍ଷକଙ୍କ ସହିତ ଓ୍ବାନ ଟୁ ଓ୍ବାନ କରିଛନ୍ତି ନବୀନ  । ପଞ୍ଚାୟତ ଓ ପୌର ବିଜୟ ପରେ ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ଦଳର ବୃହତ ବିଜୟ ଭିତରେ ବି କିଛି ନେତା ଦଳୀୟ ପ୍ରାର୍ଥୀ ଓ ଭୋଟ ପାଇଁ କଣ୍ଟା ସାଜିଥିଲେ । କିଛି ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିର୍ବାଚନ ସମୟରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଏବେବି କିଛି ଦଳବିରୋଧୀ ନେତା ରହିଯାଇଛନ୍ତି । ସେମାନଙ୍କୁ ଚିହ୍ନଟ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାବ୍ୟତୀତ ଆଜିଠୁ ଦୁଇ ଦିନ ଧରି ଲୋକସେବା ଭବନରେ ହେବାକୁ ଥିବା କର୍ମଶାଳରେ ଅର୍ବାନ ଗଭର୍ଣ୍ଣାନ୍ସ ପାଠ ପଢ଼ିବେ ନିର୍ବାଚିତ ପ୍ରତିନିଧି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହେଉଛି  ।

ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା  ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିଭଳି ପୂରଣ କରାଯିବ, ତାହା ଉପରେ କର୍ମଶାଳାରେ ଗୁରୁତ୍ବ ଦିଆଯିବ । ବିଶେଷକରି ସହରାଞ୍ଚଳର ମୌଳିକ ସମସ୍ୟା କିପରି ଦୂରୀଭୂତ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ପାନୀୟ ଜଳ, ସ୍ବଚ୍ଛତା, ପାର୍କିଂ, ବସ୍ତି ବାସିନ୍ଦାଙ୍କ ସମସ୍ୟାର କିଭଳି ସମାଧାନ ହେବ ତାହା ଉପରେ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ।

ଏହା ସହ ଅନଲାଇନ ମାଧ୍ୟମରେ ସରକାରୀ ସୁବିଧାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଆଲୋଚନା ହେବ। ସ୍ବଚ୍ଛ ଓ ନିର୍ମଳ ଶାସନରେ ନବନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସମ୍ପର୍କରେ ମଧ୍ୟ ଟିପ୍ସ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ।