ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ

1 min read

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ବତ୍ତ୍ବ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଆଇନଗତ ପଦକ୍ଷେପ ବଳରେ ସିକିମ ଜମି ଉପରେ ଜମି ସ୍ୱତ୍ତ୍ବ ଥିବା ରୟତମାନେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପାଇଛନ୍ତି । ଏହି ଐତିହାସିକ ପଦକ୍ଷେପ ଫଳରେ ଓଡ଼ିଶାର ପ୍ରାୟ ଅଢେଇ ଲକ୍ଷ ସିକିମ ରୟତ ଓ ଉତ୍ତରାଧିକାରୀ ଉପକୃତ ହେବେ। ସିକିମ ରୟତମାନଙ୍କର ଏହା ବହୁ ଦିନର ସମସ୍ୟା ଥିଲା । ୫୦ ବର୍ଷରୁ ଅଧିକ ସମୟ ହେଲା ସମସ୍ଯାର ସମାଧାନ ହୋଇପାରୁନଥିଲା ।

ସେଥିପାଇଁ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ । ଏତେ ଲମ୍ବା ସମୟର ସମସ୍ଯାକୁ ସମାଧାନ କରାଯାଇଥିବାରୁ ଏହାକୁ ଐତିହାସିକ ପଦକ୍ଷେପ କହି ଲୋକଙ୍କର ଖୁସି ହି ସବୁଠୁ ବଡ଼଼ ପୁରସ୍କାର ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ । 5T ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଅବସରରେ ସିକିମ ରୟତମାନେ ତାଙ୍କୁ ଭେଟି ଅସୁବିଧା ଜଣାଇଥିଲେ । 5T ଅଧ୍ୟକ୍ଷ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରିବା ପରେ ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ ପ୍ରତି ଏହା ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚୟ ବୋଲି କହିଥିଲେ ନବୀନ। ବାକି ରହିଯାଇଥିବା ଜମି ପଟ୍ଟା ପ୍ରଦାନ କାର୍ଯ୍ୟକୁ ଶୀଘ୍ର ଶେଷ କରି ସ୍ୱଚ୍ଛତା ଓ ସମ୍ମାନର ସହ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏହି ଅବସରରେ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।