୧୭ ବର୍ଷରେ ବିଶ୍ବକପ ବିଜେତା, ‘ବ୍ଲାକ ପର୍ଲ’ଙ୍କୁ ଦେଖିବାକୁ କୋଲକତାରେ ଜମୁଥିଲା ପ୍ରବଳ ଭିଡ

1 min read

ନନ୍ଦିଘୋଷ ବ୍ୟୁରୋ: ୮୨ ବର୍ଷ ବୟସରେ ଷ୍ଟାର ଫୁଟବଲର ପେଲେଙ୍କ ନିଧନ  । ଦୀର୍ଘଦିନ ଧରି କୋଲନ କ୍ୟାନସରରେ ପୀଡିତ ରହି ସାଓ ପାଓଲୋ ହସ୍ପିଟାଲରେ ଭର୍ତ୍ତି ଥିଲେ ପେଲେ  । ଅଧିକାଂଶ ଫରୱାର୍ଡ ପୋଜିସନରେ ଖେଳୁଥିବା ପେଲେଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳୀ କହିଲେ ଭୁଲ ହେବ ନାହିଁ  । ପେଲେଙ୍କ ପ୍ରକୃତ ନାମ ଏଡସନ ଏରେଣ୍ଟସ ଡୋ ନାସିମେଣ୍ଟୋ । କିନ୍ତୁ ଶାନଦାର ପ୍ରଦର୍ଶନ ପାଇଁ ପେଲଲେ ‘ବ୍ଲାକ ପର୍ଲ’, ‘କିଙ୍ଗ ଅଫ ଫୁଟବଲ’, ‘କିଙ୍ଗ ପେଲେ’ଙ୍କ ଭଳି ଅନେକ ନାମରେ ପରିଚିତ  । ସବୁଠାରୁ ମହଙ୍ଗା ଫୁଟବଲରଙ୍କ ମଧ୍ୟରୁ ପେଲେ ଜଣେ ଥିଲେ  ।

କୋଲକତାରେ ପେଲେ କ୍ରେଜ୍‌

ପେଲେଙ୍କ ଯାଦୁ କେବଳ ବ୍ରାଜିଲରେ ସୀମିତ ନଥିଲା । ଭାରତରେ ପେଲେଙ୍କ ପ୍ରଶଂସକଙ୍କ ତାଲିକା ଖୁବ ଲମ୍ବା  । ପେଲେଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଅଧାରାତିରେ ୩୦ ରୁ ୪୦ ହଜାର ପ୍ରଶଂସକ ପଶ୍ଚିମବଙ୍ଗର ଦମଦମ ବିମାନ ବନ୍ଦରରେ ପହଞ୍ଚି ଯାଉଥିଲେ। ପେଲେଙ୍କ ବାପା ଡୋନଡିହ୍ନୋ କ୍ଲବ ଲେବଲ ଫୁଟବଲ ଖେଳାଳୀ ଥିଲେ  । ଏହି ମହାନ ଖେଲାଳୀଙ୍କ ନାମ ଡିକୋ ଥିଲା  । କିନ୍ତୁ ସ୍ଥାନୀୟ ଫୁଟବଲ କ୍ଲବର ଜଣେ ଗୋଲକିପର ବିଲେଙ୍କ କାରଣରୁ ସେ ପେଲେ ନାମରେ ପରିଚୟ ପାଇଥିଲେ  । ପିଲାବେଳେ ଅଧିକାଂଶ ମ୍ୟାଚରେ ପେଲେ ଜଣେ ଭଲ ଗୋଲକିପର ଭାବେ ସୁନାମ ଅର୍ଜନ କରିଥିଲେ  । ଯେଉଁଥିପାଇଁ ତାଙ୍କୁ ଦ୍ବିତୀୟ ବିଲେ ବୋଲି କୁହାଯାଉଥିଲା  ।

୧୭ ବର୍ଷରେ ବିଶ୍ବକପ

୧୯୫୮ରେ ବ୍ରାଜିଲ ପ୍ରଥମ ଥର ବିଶ୍ବକପ  ଚାମ୍ପିଅନ ହୋଇଥିଲା  । ଯେଉଁଥିରେ ମୁଖ୍ୟ ଭୂମିକା ନେଇଥିଲେ ୧୭ ବର୍ଷୀୟ ପେଲେ  । ସେମିଫାଇନାଲରେ ଫ୍ରାନ୍ସ ବିରୋଧରେ ୫-୨ରେ ଶାନଦାର ବିଜୟ ସହ ହାଟ୍ରିକ କରିଥିଲେ  । ପୁଣି ସ୍ବିଡେନ ବିରୋଧରେ ଫାଇନାଲ ମ୍ୟାଚରେ ଆହୁରି ୨ଟି ଗୋଲ କରିଥିଲେ  । ପେଲେ ଏହି ବିଶ୍ବକପରେ ମୋଟ ୬ଟି ଗୋଲ୍‌ କରିଥିଲେ ଯେଉଁଥିପାଇଁ ତାଙ୍କୁ ଶ୍ରେଷ୍ଠ ଯୁବ ଖେଳାଳୀର ଆୱାର୍ଡ ମିଳିଥିଲା  । ଏହାପରେ ୧୯୬୨ ଓ ୧୯୭୦ରେ ବ୍ରାଜିଲ ପାଇଁ ଖେଳି ବିଶ୍ବକପ ଜିତିଥିଲେ   ।

ପେଲେଙ୍କ ସର୍ବାଧିକ ହାଟ୍ରିକ ରେକର୍ଡ

ପେଲେଙ୍କ ନାମରେ ସର୍ବାଧିକ ହାଟ୍ରିକ ରେକର୍ଡ ରହିଛି  । କ୍ୟାରିଅରରେ ସର୍ବାଧିକ ସେ ୯୨ଟି ହାଟ୍ରିକ କରିଛନ୍ତି  । ଏହି ତାଲିକାରେ ପେଲେଙ୍କ ପଛକୁ ଆହୁରି ବି ଖେଳାଳୀ ରହିଛନ୍ତି  । ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ୬୦ଟି ଗୋଲ୍‌ କରିଥିବାବେଳେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସି ୫୬ଟି ହାଟ୍ରିକ କରିଛନ୍ତି  ।

୧୯ ନଭେମ୍ବର ପେଲେ ଡେ’

ପ୍ରଫେସନାଲ କ୍ୟାରିଅରରେ ମୋଟ ୧୩୬୩ ମ୍ୟାଚ ଖେଳି ୧୨୭୯ ଗୋଲ୍‌ କରିପାରିଛନ୍ତି ପେଲେ  । ବ୍ରାଜିଲ ପାଇଁ କେବଳ ୯୨ଟି ମ୍ୟାଚରେ ୭୭ ଗୋଲ୍‌ କରିଛନ୍ତି  । ନଭେମ୍ବର ୧୯୬୯ରେ ଯେତେବେଳେ ପେଲେ ୧୦୦୦ତମ ଗୋଲ୍‌ କରିଥିଲେ ତାଙ୍କୁ ଭେଟିବାକୁ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ମଇଦାନରେ ପହଞ୍ଚି ଯାଇଥିଲେ  । ଖାସ୍‌ ଏଥିପାଇଁ ସେଣ୍ଟୋସ ସହରରେ ୧୯ ନଭେମ୍ବରରେ ପେଲେ ଡେ ସେଲିବ୍ରେଟ୍‌ କରାଯାଏ  । ୧୯୯୫ ରୁ ୧୯୯୮ ପର୍ଯ୍ୟନ୍ତ ବ୍ରାଜିଲର କ୍ରୀଡାମନ୍ତ୍ରୀ ବି ରହିଆସିଛନ୍ତି ପେଲେ  । ୧୯୯୯ରେ ତାଙ୍କୁ ଶ୍ରେଷ୍ଠ ଆଥଲେଟ ଭାବେ ଚୟନ କରିଥିଲା ଅନ୍ତରାଷ୍ଟ୍ରୀୟ ଅଲମ୍ପିକ କମିଟି  ।

ପେଲେଙ୍କ ତୃତୀୟ ବିବାହ

ବ୍ୟକ୍ତିଗତ ଜୀବନକୁ ନେଇ ବି ଚର୍ଚ୍ଚାରେ ରହୁଥିଲେ ପେଲେ  । ସେ ତିନୋଟି ବିବାହ କରିଛନ୍ତି  । ୧୯୬୬ରେ ରୋଜମରୀ ଡୋସ୍‌ ରଇସ ଚୋଲବିଙ୍କୁ ସେ ପ୍ରଥମ ବିବାହ କରିଥିଲେ  । ତାଙ୍କର ଦୁଇଟି ଝିଅ ବି ଅଛନ୍ତି  । କିନ୍ତୁ ୧୯୮୨ରେ ସେ ଛାଡପତ୍ର ନେଇଥିଲେ  । ୧୯୮୧ରୁ ୧୯୮୬ ପର୍ଯ୍ୟନ୍ତ ୧୭ ବର୍ଷୀୟ ମାରିଆ ଦା ଗ୍ରାକାଙ୍କ ସହ ସେ ରିଲେସନସିପରେ ରହିଥିଲେ  । ଏହାପରେ ପୁଣି ୧୯୯୧ରେ ମନୋବିଜ୍ଞାନୀ ଅସିରିଆ ଲେମୋସଙ୍କୁ ବିବାହ କରିଥିଲେ  । ତାଙ୍କର ଦୁଇଟି ଯମଜ କନ୍ୟା ଅଛନ୍ତି  । ୨୦୦୮ରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ  । ଏହାପରେ ୨୦୧୬ରେ ପେଲେ ମର୍ସିଆ ଓକିଙ୍କୁ ବିବାହ କରିଥିଲେ  ।