ଶୀତ କାକରରେ ବି ଥଣ୍ଡା ପଡ଼ିନଥିଲା ଯବାନଙ୍କ ରକ୍ତ, କାର୍ଗିଲ୍‌ ବିଜୟକୁ ପୁରିଲା ୨୨ ବର୍ଷ

ଭୁବନେଶ୍ୱର: ଯୁଦ୍ଧର ନାଁ ଶୁଣିଲେ ଆଗ ଭାରତୀୟଙ୍କ ମନକୁ କାର୍ଗିଲ କଥା ଆସେ । ଟାଇଗର ହିଲକୁ କେମିତି ଦେଶର ବୀର ଯବାନ ଅକ୍ତିଆର କରିଥିଲେ ମନରେ ଉଙ୍କି ମାରେ । କାର୍ଗିଲର ଦୃଶ୍ୟ ମନରେ ଭାବିଲେ ରୁମ ଟାଙ୍କୁରି ଉଠେ । ୬୦ ଦିନର ଭୋକିଲା ଓ ଶୋଷିଲା ଶୀତରେ ମଧ୍ୟ ଥଣ୍ଡା ପଡ଼ିନଥିଲା ଦେଶର ବୀର ଯବାନଙ୍କ ରକ୍ତ। ମାଟି ମାଆକୁ ବଞ୍ଚାଇବା ପାଇଁ ରକ୍ତକୁ ଥଣ୍ଡା ପଡ଼ିବାକୁ ଦେଉନଥିଲେ ଦେଶର ବୀର। କାରଣ ସେ ସମୟ ହିଁ ଥିଲା କିଛି ସେମିତି ।

୧୯୪୭ରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ଏହା ପରେ ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ଭାବେ ପରିଚିତ ହୋଇଥିଲେ। କିନ୍ତୁ ଏହାପରେ ପାକିସ୍ତାନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଥିଲା। ଭାରତର ଭୂସ୍ୱର୍ଗ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ଉଲଂଙ୍ଘନ କରୁଥିଲା ଗୋଟିଏ ପରେ ଗୋଟିଏ ସୀମା । ଜୁଲାଇ ୧୯୯୯ ମସିହାରେ ପାକିସ୍ତାନର କେତେକ ଅନୁପ୍ରବେଶକାରୀ ଭାରତର କାର୍ଗିଲ ଜିଲ୍ଲା ଅକ୍ତିଆର କରିବାପାଇଁ ଆସ୍ଥାନ ଜମାଇଥିଲା। ତାପରେ ଆରମ୍ଭ ହୋଇଥିଲା କାର୍ଗିଲ ଯୁଦ୍ଧ।

କାର୍ଗିଲ ଯୁଦ୍ଧକୁ ଆଜି ୨୨ ବର୍ଷ ପୁରିଛି। ୧୯୯୯ ମସିହା ଜୁଲାଇ ୨୬ ତାରିଖ ଏମିତି ଏକ ସମୟ ଯେଉଁଦିନ ଭାରତୀୟ ସୈନିକମାନେ ପାକିସ୍ତାନୀ ସୈନ୍ୟମାନଙ୍କୁ ଘଉଡାଇ କାର୍ଗିଲ ପାହାଡରେ ତ୍ରିରଙ୍ଗା ଉଡ଼ାଇଥିଲେ। ଅମର ଯବାନମାନେ ସେମାନଙ୍କର ଅଦମ୍ୟ ସାହସ ଦେଖାଇ ଶତ୍ରୁକୁ ସୀମାରୁ ବାହାରିଯିବାକୁ ବାଧ୍ୟ କରିଥିଲେ। ବୀର ଯବାନ ମାନଙ୍କ ଅଦମ୍ୟ ସାହସ, ପରାକାଷ୍ଠା ଏବଂ ବଳୀଦାନ ପାଇଁ ଆଜି ଦେଶ ଯବାନ ମାନଙ୍କୁ ଝୁରୁଛି।

ଅସୁବିଧା ଅନେକ ଥିଲା, କିନ୍ତୁ ଆମର ସୈନିକମାନେ ଦୃଢ଼ ଭାବରେ ଠିଆ ହୋଇଥିଲେ କଠିନ ପରିସ୍ଥିତିରେ। ପାକ୍ ସୈନିକମାନେ ଉଚ୍ଚ ପାହାଡ଼ ଉପରେ ବସି କାରଗିଲକୁ ଅକ୍ତିଆର କରିବା ପାଇଁ ବେସ୍ କ୍ୟାମ୍ପ ତିଆରି କରୁଥିଲେ। ଏକଥା ଭାରତ କେମିତି ବା ସହିଥାନ୍ତା। ସେଥିପାଇଁ ଭାରତୀୟ ସୈନିକମାନେ ହାର ମାନିନଥିଲେ। ଦୁଇମାସ ଧରି ଭାରତୀୟ ସୈନିକମାନେ ଭୋକ ଶୋଷର ଶୀତରେ ପାଗର ଅସୁବିଧାର ସମ୍ମୁଖୀନ କରିଥିଲେ। କାର୍ଗିଲର ଉଚ୍ଚ ପାହାଡ଼ରେ ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକ୍ ସୈନିକମାନେ ଶେଷରେ ଭାରତୀୟ ସେନାର ପରାକାଷ୍ଠା ଆଗରେ ସମର୍ପଣ କରିଥିଲେ। ଭାରତୀୟ ସେନା ଏବଂ ବାୟୁସେନା ମଧ୍ୟ ପାକ୍ ପୋଷ୍ଟ ଉପରେ ଅତ୍ୟଧିକ ଆକ୍ରମଣ କରିଥିଲେ ।

କିନ୍ତୁ ଏହି ଯୁଦ୍ଧରେ ବିଜୟ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଲା। କାର୍ଗିଲରେ ଭାରତର ୫୨୭ ସାହସୀ ସୈନିକଙ୍କୁ ସବୁଦିନ ପାଇଁ ହରାଇଥିଲା। ୨୨ ବର୍ଷ ପରେ ମଧ୍ୟ ଦେଶ ସେନାର ଏହି ବୀରପୁତ୍ରମାନଙ୍କ ବଳିଦାନକୁ ଭୁଲି ନାହିଁ। କାର୍ଗିଲ ବିଜୟ ଦିବସ ଅବସରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦମାନଙ୍କୁ ସ୍ମରଣ କରିବା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

Leave a Reply