ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ୱାଦିକଙ୍କ ଶେଷକୃତ୍ୟ ସମ୍ପନ୍ନ

କଳାହାଣ୍ଡି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ସିଆରପିଏଫ୍ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ମାରିଥିଲେ ପୋଷ୍ଟର । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଲଗାଇଥିଲେ । ହେଲେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ ରୋହିତ ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ ଭାଙ୍ଗି ଚୁରମାର ହୋଇଯାଇଥିଲା । ଆଗକୁ ପଞ୍ଚାୟତ ଭୋଟ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ବିସ୍ଫୋରଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ମିଳିବ ୧୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ମାନସ ମଙ୍ଗରାଜ ।

ଏଥିସହିତ ପଢ଼ନ୍ତୁ: ସେ ସ୍ୱରର ଯାଦୁଗରୀ, ଗୀତ ଶୁଣି କାନ୍ଦିଥିଲେ ପ୍ରଧାନମନ୍ତ୍ରୀ

Leave a Reply