ସୁଡ଼ଙ୍ଗରେ ଫଶିଛନ୍ତି ଜଣେ ଭାଇ, ବାହାରେ ଦୁର୍ଘଟଣା ନେଲା ଅନ୍ୟ ଦୁଇ ଭାଇଙ୍କ ଜୀବନ

ରାଞ୍ଚି: ପୁଣି ଆସିଲା ଦୁଃଖଦ ଖବର । ସୁଡ଼ଙ୍ଗରେ ଜଣେ ଭାଇ ଫସି ରହିଥିବାବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ଆଉ ଦୁଇ ଭାଇଙ୍କ ଜୀବନ ଯାଇଛି । ଯେ କେହି ବି ଏକଥା ଶୁଣୁଛି ଦୁଃଖରେ ଆହା ପଦେ କହୁଛି । ଜଣେ ଭାଇ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ୧୦ଦିନ ହେବ ଫସି ରହିଥିବାବେଳେ ଆଉ ଦୁଇ ଭାଇଙ୍କ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ତୁଡ୍ଡୁପାଲ୍ଲୁ ଘାଟିରେ ଦୁର୍ଘଟଣା ଘଟିଛି । ଟ୍ରେଲର କାର ଏବଂ ଟ୍ରାକ୍ଟରକୁ ମାଡ଼ କରିଥିବାବେଳେ ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଡ୍ରାଇଭରଙ୍କ ସମେତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଶ୍ରମିକ ରାଜେନ୍ଦ୍ର ବେଦିଆଙ୍କ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି ।

ରାଜେନ୍ଦ୍ରଙ୍କ ଭାଇ ଦିନେଶ ଏବଂ ସମ୍ପର୍କୀୟ ଭାଇ ସୁକୁମାରଙ୍କ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସକାଳୁ ଏକ ଦୃତଗାମୀ ଟ୍ରେଲର ମାଡ଼ି ଆସିଥିଲା । ତିନୋଟି ଯାନକୁ ଧକ୍କା ଦେବା ପରେ ଘାଟିରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏନଏଚ ୩୩ ଜାମ ରହିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ରହିଛି । ଯାତାୟତରେ ବହୁ ଅସୁବିଧା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ସ୍ଥାନୀୟ ଲୋକ ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପିସିଆର ଭ୍ୟାନ୍ ଘାଟିରେ ରହି ଆସୁଥିବା ଗାଡ଼ି ମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ପ୍ରତିଦିନ ଏଭଳି କରୁଥିବାବେଳେ ଆଜି ମଧ୍ୟ ଟଙ୍କା ଆଦାୟ କରୁଥିବାବେଳେ ଟ୍ରାକ୍ଟରଟି ସେଠାରେ ଛିଡ଼ା ହୋଇଥିଲା । ଦୃତଗତିରେ ଆସୁଥିବା ଟ୍ରେଲରଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏହାପରେ ବାକି ସମସ୍ତ ଗାଡ଼ି ଆସି ପଛରୁ ପିଟିଥିଲା ।