ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ କହିଲେ ପିତା

1 min read

ଗାଜା : ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ଶପଥ ନେଇଛି ଯେ, ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ । ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତା ଅଭିଯୋଗ କରିଛନ୍ତି, ହମାସ ତାଙ୍କ ପୁଅର ମୁଣ୍ଡ କାଟି ନିଲାମ କରିଛି । ଡେଭିଡ ତାହର ନାମକ ଜଣେ ବ୍ୟକ୍ତି ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପୁଅ ସିପିଏଲ ଆଦିର ତାହରଙ୍କ ମୃତ୍ୟୁ ବିଷୟରେ କହିଛନ୍ତି ।

ଡେଭିଡ କହିଛନ୍ତି, ଅକ୍ଟୋବର ୭ରେ ଗାଜା ସୀମା ନିକଟରେ ଏକ ଇସ୍ରାଏଲର ସାମରିକ ପୋଷ୍ଟରେ ଆଦିରଙ୍କୁ ନିୟୋଜିତ କରାଯାଇଥିଲା। ହମାସ ପକ୍ଷରୁ  ପୋଷ୍ଟ ଉପରେ ଆକ୍ରମଣ କରି ଆଦିରଙ୍କୁ ହତ୍ୟା କରାଯାଇଥିଲା ।  ଏହା ପରେ ହମାସ ଯୋଦ୍ଧାମାନେ ଆଦିରଙ୍କ ମୁଣ୍ଡ କାଟି ୧୦ ହଜାର ଡଲାରରେ ନିଲାମ କରିବାକୁ ଘୋଷଣା କରିଥିଲେ ।

ଡେଭିଡ ଏହା ମଧ୍ୟ କହିଛନ୍ତି, ଆଦିରଙ୍କ ମୃତଦେହକୁ ଇସ୍ରାଏଲର ଜାତୀୟ ଶ୍ମଶାନରେ ପାଇଛନ୍ତି। ସେ କହିଛନ୍ତି, ମୋ ପୁଅ ଶରୀରର ଅବସ୍ଥା ଏତେ ଖରାପ ଥିଲା ଯେ ତାକୁ ଚିହ୍ନିବା କଷ୍ଟସାଧ୍ୟ ଥିଲା । ଡିଏନଏ ପରୀକ୍ଷା ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଇଥିଲା । ସେ ଦୁଇ ମାସ ଧରି ଆଦିରଙ୍କ ମୁଣ୍ଡ ପାଇଁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ସେ କୌଣସି ସୂଚନା ପାଇପାରିଲେ ନାହିଁ । କିନ୍ତୁ ଡିସେମ୍ବରରେ ସେ ଜାଣିବାକୁ ପାଇଲେ ଯେ ଇସ୍ରାଏଲର ଗୁପ୍ତଚର ବିଭାଗ ତାଙ୍କ ପୁଅର ମୁଣ୍ଡ ପାଇଛି । ଯାହାକୁ ଆତଙ୍କବାଦୀମାନେ ଏକ ଫ୍ରିଜରେ ରଖିଥିଲେ ।